ପୁରୀ ଉନ୍ନତୀକରଣ ପଛର କାହାଣୀ କହିଲେ ପାଣ୍ଡିଆନ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ଦିର ଚତୁର୍ପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଘର ଏବଂ ଦୋକାନ ଉଚ୍ଛେଦ କରାଯାଉଛି। ତେବେ ହଠାତ୍‌ କାହିଁକି ପୁରୀ ପାଇଁ ଏତେ ବଡ ଘୋଷଣା ହୋଇଥିଲା ସେନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ ମଧ୍ୟ କାରଣ ଜଣାପଡି ନ ଥିଲା। ମାତ୍ର ଏବେ ପୁରୀର ବିକାଶ ପଛର ପ୍ରକୃତ କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ବସିଥିବା ପୁରୀ ସମ୍ପର୍କିତ ବୈଠକରେ ପାଣ୍ଡିଆନ କହିଛନ୍ତି, ୨୦୧୬ ଜାନୁୟାରୀ ସମୟର କଥା। ସମସ୍ତେ ଜାଣନ୍ତି ପ୍ରତ୍ୟେକ ଥର ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥାଆନ୍ତି। ୨୦୧୬ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଯିବା ସମୟରେ ସେ ମଧ୍ୟ ସାଙ୍ଗରେ ଗାଡି ପଛରେ ବସି ଯାଉଥିଲେ। ନୂଆବର୍ଷ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁତଗୁଡିଏ ହୋର୍ଡିଂ ଲାଗିଥାଏ। ହୋର୍ଡିଂଗୁଡିକରେ ଜଗନ୍ନାଥଙ୍କ ଫଟୋ ମଧ୍ୟ ଥାଏ। ସେହି ସମୟରେ ଦେଖିଲି ରାସ୍ତାରେ ଥିବା ହୋର୍ଡିଂ ଯେଉଁଥିରେ ଜଗନ୍ନାଥଙ୍କ ଫଟୋ ଅଛି ସବୁଗୁଡିକୁ ଦେଖି ମୁଖ୍ୟମନ୍ତ୍ରୀ ହାତ ଯୋଡି ପ୍ରାର୍ଥନା କରୁଥିଲେ। ଏହାପରେ ଜଗନ୍ନାଥଙ୍କୁ ଦର୍ଶନ ସମୟରେ ନିଆରା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଲି। ଶେଷରେ ଫେରିବା ସମୟରେ ଏ ସମ୍ପର୍କରେ ତାଙ୍କ ସହ କଥା ହୋଇଥିଲେ। ଜଗନ୍ନାଥ ମନ୍ଦିର ପାଇଁ କିଛି ଭଲ କଲେ ଭଲ ହୁଅନ୍ତା ବୋଲି କହିଥିଲି। ସେଇଠୁ ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୧୬ ଜାନୁୟାରୀ ପ୍ରଥମ ସପ୍ତାହରେ ପୁରୀର ଜେଲ ସ୍ଥାନାନ୍ତର ପାଇଁ ଘୋଷଣା କରାଗଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ ହଠାତ୍‌ କାହିଁକି ଏମିତି ନିଷ୍ପତ୍ତି ନିଆଗଲା। ଏତେ ପୁରୁଣା ଜେଲ୍‌ କାହିଁକି ହଠାତ୍‌ ସ୍ଥାନାନ୍ତର ହେବ ବୋଲି ଏଡିଜି(ଜେଲ୍‌) ବହୁତ ଥର ମନାକଲେ। ଏହାପରେ ସଙ୍ଗେସଙ୍ଗେ ପ୍ରୋଜେକ୍ଟ ଘୋଷଣା ହେଲା। ଯଥାଶୀଘ୍ର ନୂତନ ଜେଲ୍‌ ନିର୍ମାଣ କରାଯାଇ ପୁରୁଣା ଜେଲ୍‌ ଭଙ୍ଗାଗଲା। ସେହି ସମୟରେ କେହି ଜାଣି ନ ଥିଲେ ଏହା କାହିଁକି ସ୍ଥାନାନ୍ତର କରାଯାଉଛି, ଏବେ ସମସ୍ତେ ଜାଣୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ।