ପୁରୀରୁ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮ ଛୁଇଁଲା

ପୁରୀ ଅଫିସ, ୧୭।୬: ପୁରୀ ଜିଲାରୁ ବୁଧବାର ପୁଣି ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୮୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ ୮୫ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବୁଧବାର ଚିହ୍ନଟ ୧୮ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେଣୁ କେତେଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ସ୍ଥାନୀୟ କେତେଜଣ ତାହା ଜଣାପଡି ନାହିଁ। ୧୦ ଦିନ ପୂର୍ବରୁ ଜଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଗତ ୧୦ ଦିନରେ ୮୭ ଜଣ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢ଼ାଇଛି। ବ୍ରହ୍ମଗିରି ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି। ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବା ସହ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।