Categories: ରାୟଗଡା

ପୁରୀରୁ ଧରାପଡିଲେ ସାଇବର ଲୁଟେରା: ଆକାଉଣ୍ଟ, ଏଟିଏମ୍‌ ପିନ୍‌ ହାତେଇ ଲୁଟୁଥିଲେ ଅଭିଯୁକ୍ତ

ମାଲକାନଗିରି, ୨୫।୭(ଡି.ଏନ୍‌.ଏ/ସ୍ବ.ପ୍ର.)
ମାଲକାନଗିରି ପୋଲିସ ସାଇବର ଠକେଇରେ ଜଡିତ ଥିବା ଜଣେ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ପୁରୀରୁ ବୁଧବାର ଗିରଫ କରିଛି। ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ ଦେଖାଇ ଚତୁରତାର ସହ ସେ ଏଟିଏମ୍‌ ପିନ ଓ ଆକାଉଣ୍ଟ ନମ୍ବର ନେଇ ଟଙ୍କା ଲୁଟୁଥିଲେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁବ୍ରତ ମହାପାତ୍ର (୨୩)। ସେ ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଓ ଝାଡଖଣ୍ଡ ରାଜ୍ୟର ଅପରାଧୀଙ୍କ ସହ ତାଙ୍କର ଲିଙ୍କ୍‌ ଥିବା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରକାଶଯେ, କିଛି ମାସ ତଳେ ସୁବ୍ରତ କାଲିମେଳା ଥାନା ଅଧୀନ ଅକ୍ଷୟ ପଣ୍ଡାଙ୍କୁ ଫୋନ କରି ତାଙ୍କର ୨ଲକ୍ଷ ଟଙ୍କା ପୁରସ୍କାର ଉଠିଛି ବୋଲି କହିଥିଲେ। ଏଥିପାଇଁ ଅକ୍ଷୟଙ୍କୁ ଆକାଉଣ୍ଟ ନମ୍ବର ଏବଂ ଏଟିଏମ୍‌ ପିନ୍‌ ମାଗି ତାଙ୍କ ଆକାଉଣ୍ଟରେ ଥିବା ୪୦ ହଜାର ଟଙ୍କା ସୁବ୍ରତ ଉଠାଇ ନେଇଥିଲେ। ସେହିଭଳି ଓର୍କେଲ ଥାନା ଅଞ୍ଚଳର ଜଣଙ୍କ ଆକାଉଣ୍ଟରୁ ମଧ୍ୟ ସୁବ୍ରତ ଟଙ୍କା ଉଠାଇଥିବା ନେଇ ଫେବୃୟାରୀ ୧୨ରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ସୁବ୍ରତଙ୍କ ନାଁରେ ଯାଜପୁର ଜିଲା ବଡ଼ଚଣା ଥାନାରେ ଜୁନ୍‌ ୧୭ରେ କେସ୍‌ ନଂ ୧୩୩/୧୯ରେ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା। ସେହିପରି କଟକର ଚାଉଳିଆଗଞ୍ଚ ଥାନାରେ କେସ୍‌ ନଂ ୭/୧୯ରେ ଜାନୁୟାରୀ ୬ରେ ଏବଂ ପାରଳଖେମୁଣ୍ଡି ଥାନାରେ କେସ୍‌ ନଂ ୧୪୧/୧୯ରେ ୧୮ ତାରିଖରେ ସୁବ୍ରତଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେହିଭଳି ପୁରୀ ସିଂହ ଦ୍ବାର ଥାନାରେ ୪୬/୧୯ରେ ମାମଲା ରହିଛି ବୋଲି ଏସ୍‌ପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଲକାନଗିରି ପୋଲିସ ସୁବ୍ରତଙ୍କ ଆକାଉଣ୍ଟକୁ ସିଲ କରିଛି। ତାଙ୍କଠାରୁ ନଗଦ ୨ ଲକ୍ଷ ୬ ହଜାର ୧୯୪ ଟଙ୍କା ଜବତ କରିଛି। ମାଲକାନଗିରି ସ୍ବତନ୍ତ୍ର ସାଇବର ସେଲ ଇନ୍ସପେକ୍ଟର ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତ ସୁବ୍ରତଙ୍କୁ ଧରିବାରେ ସଫଳ ହୋଇଥିଲେ।