Categories: ଖେଳ

ପୁମା ସହ ଦୂତୀଙ୍କ ଚୁକ୍ତି

ନୂଆଦିଲ୍ଲୀ,୯।୮(ପି.ଟି.)-ଦେଶର ଦ୍ରୁତତମ ମହିଳା ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଗ୍ଲୋବାଲ ସ୍ପୋଟର୍‌ସ କମ୍ପାନୀ ପୁମା ସହ ଚୁକ୍ତି କରିଛନ୍ତି। ଗୁରୁବାର ଏ ନେଇ ପୁମା ତରଫରୁ ଘୋଷଣା କରାଯାଇଛି। ପ୍ରଥମଥର ପାଇଁ ଦୂତୀ ଏଭଳି ବିଶ୍ୱସ୍ତରୀୟ ବ୍ରାଣ୍ଡ ସହ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏଥିସହିତ ସ୍ପ୍ରିଣ୍ଟ କିମ୍ବଦନ୍ତୀ ଉସେନ ବୋଲ୍ଟଙ୍କ ସମେତ ସେ ବିଶ୍ୱସ୍ତରୀୟ ପୁମା ଆଥଲେଟ୍‌ ତାଲିକାରେ ଯୋଗଦେଇଛନ୍ତି। ଜାତୀୟ ରେକର୍ଡ ହାସଲ କରିଥିବା ୨୩ ବର୍ଷୀୟା ଦୂତୀ ଏବେ ପୁମାର ଜିନିଷ ବ୍ୟବହାର କରି ତାଙ୍କ ପ୍ରଦର୍ଶନକୁ ଆହୁରି ଉନ୍ନତି କରିପାରିବେ।
ଗତମାସରେ ସେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍‌ ଭାବେ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲକରି ଇତିହାସ ସୃଷ୍ଟି କରିଥିଲେ। ସେ ଇଟାଲୀର ନାପୋଲିରେ ଅନୁଷ୍ଠିତ ଏହି ଗେମ୍ସରେ ମହିଳାର ୧୦୦ମିଟର ଦୌଡରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେ ୧୧.୩୨ ସେକେଣ୍ଡ ସମୟ ନେଇ ଏହି ସଫଳତା ହାସଲ କରିଥିଲେ। ଅବଶ୍ୟ ପୂର୍ବରୁ ସେ ୧୧.୨୬ ସେକେଣ୍ଡ ନେଇ ଜାତୀୟ ରେକର୍ଡ ହାସଲ କରିଥିଲେ।
ପ୍ରଥମଥର ପାଇଁ ସେ କୌଣସି ବିଶ୍ୱସ୍ତରୀୟ କମ୍ପାନୀ ତଥା ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି। ଏହି କମ୍ପାନୀ ପୂର୍ବରୁ ଉସେନ ବୋଲ୍ଟଙ୍କ ଭଳି କିମ୍ବଦନ୍ତୀ ଆଥଲେଟ୍‌ଙ୍କ ସହ କାର୍ଯ୍ୟ କରିଛି। ଏଥିପାଇଁ ବହୁତ ଖୁସି ବୋଲି ଦୂତୀ କହିଛନ୍ତି। କ୍ରୀଡ଼ାରେ ପୁମା ବିଶ୍ୱବ୍ୟାପୀ ଆଥଲେଟ୍‌ଙ୍କୁ ପ୍ରୋତ୍ସାହିତ କରିଆସୁଛି। ଭାରତରେ ମୋ ଭଳି ଖେଳାଳିଙ୍କୁ ଭରସା କରିଥିବାରୁ ପୁମା ନିକଟରେ କୃତଜ୍ଞ। ପୁମା ସହ ଜଡିତ ହେବା ଦ୍ୱାରା ବେଶ୍‌ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି। ଦୂତୀ ଜଣେ ବିଶ୍ୱସ୍ତରୀୟ ଖେଳାଳି ଓ ସେ ଭାରତୀୟ କ୍ରୀଡ଼ାରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କ ସହ ଚୁକ୍ତି କରି ଆମେ ବେଶ୍‌ ଖୁସି ବୋଲି ପୁମା ଇଣ୍ଡିଆ ମ୍ୟାନେଜିଂ ଡାଇରେକ୍ଟର ଅଭିଷେକ ଗାଙ୍ଗୁଲି କହିଛନ୍ତି। ଦୂତୀଙ୍କ ଯୋଗୁ ଦେଶର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ନୂଆ ରୂପ ନେବ। ଦୂତୀ ଜଡିତ ହେବା ଆମ ପାଇଁ ଏକ ସୌଭାଗ୍ୟ ବୋଲି ସେ କହିଛନ୍ତି।

Share