ପୁନରୁଦ୍ଧାରରେ ବିଏମ୍‌ସି ଖର୍ଚ୍ଚ କରିବ ୨୩୦ କୋଟି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ତାଣ୍ଡବରେ ସ୍ମାର୍ଟ ସିଟି ଭୁବନେଶ୍ୱର ଏକପ୍ରକାର ଶ୍ରୀହୀନ ହୋଇପଡ଼ିଛି। ରାଜଧାନୀର ସବୁଜିମାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ସବୁକିଛି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ସହରର ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିନିମନ୍ତେ ପାଖାପାଖି ୨୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର ପୁନରୁଦ୍ଧାର କାର୍ଯ୍ୟର ମୋଟ ଖର୍ଚ୍ଚର ହିସାବ ଦେବା ସହ କେଉଁ କ୍ଷେତ୍ରରେ କେତେ ବ୍ୟୟ ହେବ, ତାହା ଉଲ୍ଲେଖ କରିଛନ୍ତି। ତଥ୍ୟ ଅନୁଯାୟୀ, ଭୁବନେଶ୍ୱରର ମୁଖ୍ୟ ୧୦ ଡ୍ରେନ୍‌ରେ ମୋଟ ୩୨.୪୨କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ସହରର ୫୦୦ କି.ମି. ରାସ୍ତାର ପୁନରୁଦ୍ଧାରରେ ୧୫୫.୬୦କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ଭାଙ୍ଗିପଡ଼ିଥିବା ଷ୍ଟ୍ରିଟ ଲାଇଟ୍‌ କ୍ଷେତ୍ରରେ ୫.୩୯କୋଟି ଟଙ୍କା ଖର୍ଚ୍ଚ ହେବ। ୬୭ ଓ୍ବାର୍ଡରେ ଏବେ ୧୪ ଘରୋଇ ଠିକା ସଂସ୍ଥା କାର୍ଯ୍ୟରତ ଅଛନ୍ତି। ଅନୁରୂପ ଭାବେ ବିଏମ୍‌ସି ଦ୍ୱାରା ପରିଚାଳିତ ବିଲ୍ଡିଂ, ପାର୍କ ଓ ସବୁଜିମା କ୍ଷେତ୍ରରେ ମୋଟ ୨୫.୭୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହିପରି ଭାବେ ମୋଟ ୨୧୯.୧୧କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ମେ ୧୦ ସୁଦ୍ଧା ସହରରେ ଉଠାଯାଇଥିବା ସବୁଜ ଆବର୍ଜନା(ଭାଙ୍ଗିପଡ଼ିଥିବା ଗଛ) ବାବଦରେ ଶ୍ରମିକଙ୍କୁ ମୋଟ ୧୦କୋଟି ଟଙ୍କା ଦିଆଯିବ ବୋଲି ସିଟି ଇଞ୍ଜିନିୟର ମହାପାତ୍ର କହିଛନ୍ତି। ଯେହେତୁ ସଫେଇ କାର୍ଯ୍ୟ ଜାରି ରହିଛି, ତେଣୁ ଏହି ଅର୍ଥ ରାଶି ବୃଦ୍ଧି ପାଇବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।