ପୁଣି ୫ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ

ଗୋପ,୮ା୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ୍‌ ଅଞ୍ଚଳରେ ଥିବା ବେଆଇନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଏନ୍‌ଓସି ରଦ୍ଦ କରାଯାଉଛି। ତେବେ ବୁଧବାର ଆଉ ୫ ଘରୋଇ ଶିକ୍ଷାନୁଷ୍ଠାନର ଏନଓସି ରଦ୍ଦ କରାଯାଇଥିବା ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବ୍ଲକ୍‌ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନ ବେଆଇନ ଚାଲିଥିବାବେଳେ ୨୫ଟି ଘରୋଇ ଶିକ୍ଷାନୁଷ୍ଠାନକୁ ସରକାରୀ ମାନଦଣ୍ଡକୁ ପୂରଣ କରି ନ ଥିବାରୁ ଏନ୍‌ଓସି ଦିଆଯାଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୭୫୧୫ ତା୧.୮.୨୦୧୯ରେ ୧୦ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସିକୁ ରଦ୍ଦ କରାଯାଇଥିବାବେଳେ ବୁଧବାର ପୁଣି କାର୍ଯ୍ୟାଳୟ ଚିଠି ନଂ. ୭୫୧୧ ତା୧.୮.୨୦୧୯ରେ ଆଉ ୫ଟି ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ କରାଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡିକୁ ଶିକ୍ଷାବିଭାଗ ପକ୍ଷରୁ ଏନ୍‌ଓସି ଦିଆଯାଇଥିବାବେଳେ ଏମାନେ ସରକାରଙ୍କର ୩୨ଟି ମାନଦଣ୍ଡକୁ ଉଲ୍ଲଂଘନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍‌ ଘୋଷ କହିଛନ୍ତି।