ପୁଣି ମାତିଲେ ସାଇବର ଠକ: ସେକେଣ୍ଡରେ ଆକାଉଣ୍ଟରୁ କଟିଗଲା ୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ପୋଲିସ ଏବଂ କ୍ରାଇମ୍‌ବ୍ରାଞ୍ଚର ବିଫଳତା ଫଳରେ ଦିନକୁ ଦିନ ସାଇବର ଅପରାଧୀମାନେ ମାତିଲେଣି। ସେମାନେ ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଏକାଧିକ ଲୋକଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ଦୁଇଦିନ ତଳେ ପୁରୁଣା ଭୁବନେଶ୍ୱରର ଜଣେ ପୋଲିସ କନ୍‌ଷ୍ଟେବଳ ସାଇବର ଠକେଇର ଶିକାର ହୋଇଥିବାବେଳେ ସୋମବାର ଏୟାରପୋର୍ଟ ଥାନା ଅଞ୍ଚଳରେ ଆଉ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସାଇବର ଠକ ତାଙ୍କର ପେଟିଏମ୍‌ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ମେସେଜ ଦେଇ ଏକ ସେକେଣ୍ଡରେ ଆକାଉଣ୍ଟରୁ ସାଢେ ୮ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ହୋଇଥିବା ସମ୍ପର୍କରେ ଏୟାରପୋର୍ଟ ଥାନାରେ ନିୟୁ ଫରେଷ୍ଟ ପାର୍କରେ ରହୁଥିବା ସମ୍ବିତ ମିଶ୍ର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୪୧୯,୪୨୦ ଏବଂ ଆଇଟି ଆକ୍ଟ ୬୬(ସି),୬୬(ଡି)ରେ ଏକ ମାମଲା(ନଂ-୧୦୫/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।