ପୁଣି ବଢ଼ିଲା ଡ୍ୟାନ୍ସ ବାର୍‌ ଅଡ଼ୁଆ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାର୍‌ ପାଇଁ ଏକ ବଡ଼ ଝଟକା ଲାଗିଛି। ବାର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ ଥିବା କାରଣରୁ ସେଗୁଡ଼ିକୁ ବନ୍ଦ କରିବା ଲାଗି ପୋଲିସ୍‌ ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅଗ୍ନିଶମ ବିଭାଗ ନୋଟିସ ଜାରିକରିଛି। ବାର୍‌ ମାଲିକମାନେ ପୁଣି ଥରେ ଆବେଦନ କରିଲେ ସେମାନଙ୍କୁ ଅନୁମତି ମିଳିବ। ଅଗ୍ନି ନିରାପତ୍ତା ମାନଦଣ୍ଡ ଆଧାରରେ ଆବେଦନ କଲା ପରେ ତାଙ୍କୁ ସାର୍ଟିଫିକେଟ୍‌ ମିଳିପାରିବ ବୋଲି ଡିଜି ଶର୍ମା କହିଛନ୍ତି।
ବାର୍‌ ମାଲିକମାନେ ୨୦୧୮ ଫେବୃୟାରୀରେ ଏହି ଅଗ୍ନିନିରାପତ୍ତା ସାର୍ଟିଫିକେଟ କରିଥିଲେ। ସେସମୟରେ କ୍ଷମତାରେ ନଥିବା ଆସିଷ୍ଟାଣ୍ଟ ଫାୟାର ଅଧିକାରୀ ସେମାନଙ୍କର ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ୍‌ ଜାରି କରିଥିଲେ। ସେହି ସମୟରେ ସାର୍ଟିଫିକେଟ୍‌ ଜାରି କରିଥିବା ଅଫିସର ଏବେ ପୋଲିସ ସ୍କାନରରେ ରହିଛନ୍ତି। କେଉଁ ପରିସ୍ଥିତିରେ ଏହି ସାର୍ଟିଫିକେଟ୍‌ ଦିଆଯାଇଥିଲା, ତାହା ଉପରେ ଏବେ ଖୋଳତାଡ଼ ଜାରି ରହିଥିବା ଡିଜି କହିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ କମିଶନରେଟ ପୋଲିସ ଭୁବନେଶ୍ୱରର ୧୧ଟି ଡ୍ୟାନ୍ସ ବାର୍‌ ଉପରେ ଚଢାଉ କରି ୯୬ ଜଣ ବାର୍‌ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଥିଲା। ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପୁଣି ଡ୍ୟାନ୍ସ ବାର୍‌ ଖୋଲିବାକୁ ଅବକାରୀ କମିଶନର ଅନୁମତି ଦେଇଥିଲେ। ତେବେ ଏଥିପାଇଁ ଅନେକ ଜରୁରୀ ଗାଇଡଲାଇନ୍ସ ମାନିବାକୁ ନିର୍ଦ୍ଦେଶ ରହିଥିଲା। ଯାହା ମଧ୍ୟରୁ ଫାୟାର ସେଫ୍ଟି ଅନ୍ୟତମ। ତେଣୁ ଉଚିତ୍‌ କାଗଜପତ୍ର ପୈଠ କରିବା ପରେ ବାର୍‌ଗୁଡ଼ିକରେ ଡ୍ୟାନ୍ସ କରିବାକୁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି।