ପୁଣି ଦବିଲା ଘସିପୁରା ଭିଆଇପି ରୋଡ୍‌

ଘସିପୁରା, ୩।୧(ଡି.ଏନ.ଏ.)-ଆନନ୍ଦପୁର ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ବୈତରଣୀ ଡଙ୍ଗାଘାଟ ନିକଟରେ ପୁଣି ଥରେ ଦବିଯାଇଛି। ଦବିଯିବା କାରଣରୁ ରାସ୍ତା ମଧ୍ୟଭାଗ ତଳେ ଯାଇଥିବା ଜନସ୍ବାସ୍ଥ୍ୟ ଜଳ ଯୋଗାଣ(ପିଏଚଡି) ବିଭାଗର ବହୁ ପାଇପ ଫାଟିଯାଇଛି। ଫଳରେ ବୁଧବାରଠାରୁ ହଠାତ ପିଚୁ ରାସ୍ତାରୁ ପାଣି ସୁଅ ବାହାରିଥିଲା। ଗୁରୁବାର ପିଏଚ୍‌ଡି ଯନ୍ତ୍ରୀଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନବ ନିର୍ମିତ ରାସ୍ତାର ମଧ୍ୟଭାଗକୁ ପ୍ରାୟ ୫ଫୁଟ ଗଭୀର ଗାତ ଖୋଳାଯାଇ ପାଇପ ମରାମତି ଚାଲିଛି। ପାଣି ପାଇପ ଫାଟିଥିବାରୁ ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ଠପ୍‌ ହୋଇଛି। ସେପଟେ ରାସ୍ତାରେ ଗାଢ଼ ଖୋଳାହୋଇଥିବାରୁ ଭିଆଇପି ରୋଡ୍‌ର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ରହିଛି। ଗତକିଛି ଦିନ ତଳେ ଜଅଁରା ଓ ତାହା ପୂର୍ବରୁ ସେହି ଡଙ୍ଗାଘାଟ ନିକଟରେ ଦୁଇ ଥର ରାସ୍ତାଦବି ସମାନ ପରିସ୍ଥିତି ଉପୁଜିବା ଘଟଣା ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତାକୁ ପଦାରେ ପକାଇଛି।
ମିଳିଥିବା ସୂଚନାନୁଯାୟୀ, ଆନନ୍ଦପୁର ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ନିର୍ମାଣ କରାଗଲା। ନିର୍ମାଣ ଶେଷକୁ ବର୍ଷେ ନ ପୂରୁଣୁ ଏହି ରାସ୍ତା ନିର୍ମାଣରେ ହୋଇଥିବା ବ୍ୟାପକ ଅନିୟମିତତା ଦେଖାଦେଇଛି। ଗତ ତିନି ମାସ ମଧ୍ୟରେ ଏହି ଭିଆଇପି ରୋଡ୍‌ ପୃଥକ ପୃଥକ ସ୍ଥାନରେ ପ୍ରାୟ ୫ଥର ଦବି ଯାଇଥିବା ଦେଖାଯାଇଛି। ଏହିକ୍ରମରେ ଗୁରୁବାର ପୁଣି ଥରେ ଡଙ୍ଗାଘାଟ ନିକଟରେ ରାସ୍ତା ଦବି ଯାଇଛି। ରାସ୍ତା ଦବିବା କାରଣରୁ ତଳେ ଯାଇଥିବା ପାନୀୟଜଳ ଯୋଗାଣ ପାଇପ ଫାଟି ଯାଇଛି। ଏହି ଘଟଣା ପରେ ପୂର୍ତ୍ତ ଓ ପିଏଚଡି ବିଭାଗ ପକ୍ଷରୁ ତରବରିଆ ଭାବେ ତାଳିପକା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଅପରପକ୍ଷେ ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସମୀର ଅଧିକାରୀଙ୍କୁ ପଚାରିବାରୁ ପାନୀୟଜଳ ପାଇପ ନିର୍ମାଣ ପରେ ଯୁଦ୍ଧକାଳୀନ ସମୟରେ ରାସ୍ତାର ମରାମତି କରିଦିଆଯିବ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ କି, ଏହି ଭିଆଇପି ରୋଡ୍‌ରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏ ନେଇ ଏକ ମାମଲା ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି।