ପୁଣି କମିଲା ବସ୍‌ ଭଡ଼ା: କିଲୋମିଟର ପିଛା ୧, ୨ ପଇସା

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ରାଜ୍ୟରେ ବସ୍‌ଭଡ଼ା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳଦର୍‌ ହ୍ରାସ ପାଇଥିବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା (ଅଟୋମେଶନ ସିଷ୍ଟମ) ଅନୁଯାୟୀ ରାଜ୍ୟରେ ବସ୍‌ଭଡ଼ା ହ୍ରାସପାଇଛି। କିଲୋମିଟରକୁ ଯଥାକ୍ରମେ ୧ ଓ ୨ ପଇସା କମିଛିି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ ବସ୍‌ଭଡ଼ା କିଲୋମିଟର ପିଛା ୧ ପଇସା ଲେଖାଏ ହ୍ରାସ ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ କିଲୋମିଟରକୁ ୨ ପଇସା ହ୍ରାସ ପାଇଛି। ଏଥିଯୋଗୁ ସାଧାରଣ ବସ୍‌ଭଡ଼ା କିଲୋମିଟର ପିଛା ୬୮ ପଇସାରୁ ୬୭ପଇସା ହ୍ରାସ ହୋଇଥିବାବେଳେ ଏକ୍ସପ୍ରେସ ୭୧ରୁ ୭୦, ଡିଲକ୍ସ ବସ୍‌ କିଲୋମିଟର ପିଛା ୯୭ ପଇସାରୁ ୯୫ପଇସା ଏବଂ ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା ୧ ଟଙ୍କା ୧୯ପଇସା ୧ ଟଙ୍କା ୧୭ ପଇସାକୁ କମିଛି।

ସୂଚନାଯୋଗ୍ୟ ଯେ, ୨୦୨୦ ଫେବୃୟାରୀ ୧ ଓ ମାର୍ଚ୍ଚ ୬ରେ ବସ୍‌ଭଡ଼ା ହ୍ରାସ ପାଇଥିଲା। ମାର୍ଚ୍ଚରେ ୨ ଥର ଭଡ଼ା ହ୍ରାସ ହୋଇଛି। ଭଡ଼ା ବୃଦ୍ଧି ଓ ହ୍ରାସ ପାଇଁ ରାଜ୍ୟ ସରକାର ଅଟୋମେଶନ ବା ସ୍ବୟଂକ୍ରିୟ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହେଲେ କିଲୋମିଟରକୁ ଭଡ଼ା ୧ ଓ ୨ ପଇସା ବଢ଼ିବ। ସେହିିପରି ୨ଟଙ୍କା କମିଲେ ଭଡ଼ା ହ୍ରାସ ପାଇବ।