ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ, ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କୁହନ୍ତୁ: ନିରଞ୍ଜନ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ପିସିସି ସଭାପତି ପଦରୁ ହଟାଇବା ଲାଗି କଂଗ୍ରେସ ନେତାଙ୍କ ମେଳି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ। ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ କରିବି। ଅଯଥାରେ ଏପରି ମେଳି କରି କଂଗ୍ରେସକୁ ଆଉ ତଳୁତଳାନ୍ତ କରନ୍ତୁ ନାହିଁ। କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ କଥା ନୁହେଁ। କଂଗ୍ରେସ ନେତାଙ୍କ ଏହା ପୁରୁଣା ରୋଗ। ଯେଉଁମାନେ ପିସିସି ପଦବୀ କି ଟିକେଟ ପାଇ ନ ଥିଲେ ସେମାନେ ଏପରି କରୁଛନ୍ତି। ମୋତେ ସଭାପତି ପଦରୁ ବାହାର କରିବା ଲାଗି ବୈଠକ କରିବା ଦରକାର ନାହିଁ। ମୁଁ ଉକ୍ତ ପଦବୀରେ ରହିବାକୁ ଚାହୁଁନାହିଁ। ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କୁହନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨ ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇଛି। ଏପରିସ୍ଥଳେ ପିସିସିରେ ନବକଳେବର ହେବା ଜରୁରୀ। ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦାୟିତ୍ୱ ଦେବା ନେଇ ବୁଧବାର ସକାଳେ ପାନ୍ଥନିବାସରେ କଂଗ୍ରେସ ନେତା ମେଳି ବାନ୍ଧିଥିଲେ। ଆସନ୍ତା ସପ୍ତାହରେ ଏକ ଟିମ୍‌ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ମହମ୍ମଦ ମୋକିମ୍‌ ଏହି ସଭା ବିଷୟରେ କିଛି ଜାଣି ନ ଥିବା ସୂଚନା ମିଳିଛି।