ପିସିଆର ଭ୍ୟାନ୍‌ ଭଙ୍ଗାରୁଜା, କର୍ମଚାରୀଙ୍କୁ ମାଡ଼

ଭୁବନେଶ୍ୱର, ୨୫ା୫ (ବ୍ୟୁରୋ): ପିସିଆର ଭ୍ୟାନ୍‌ ଭଙ୍ଗାରୁଜା ଓ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ଖାରବେଳନଗର ପୋଲିସ ଶୁକ୍ରବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମସଜିଦ୍‌ କଲୋନୀର ଏସ୍‌.କେ. ଅନୁଓ୍ବାର(୨୩) ଏବଂ ଏସ୍‌.କେ.ରାଜେଶ(୨୨)। ଦୁହିଁଙ୍କ ବିରୋଧରେ କେସ୍‌ ନଂ-୧୩୩/୧୯, ଦଫା ୨୯୪,୩୫୩,୩୦୭ ଓ ୩୪ ରୁଜୁ ହୋଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ପୋଲିସ ସେମାନଙ୍କର ଗୋଟିଏ ଗାଡ଼ିକୁ ଜବତ କରିଛି। ଅନୁଓ୍ବାର ଓ ରାଜେଶ ଅଧିକାଂଶ ସମୟରେ ମସ୍‌ଜିଦ କଲୋନୀରେ ଗଣ୍ଡଗୋଳ କରିଥାନ୍ତି। ଏପରି କି ପିସିଆର ଭ୍ୟାନ୍‌ ବିଭିନ୍ନ ସମୟରେ ସେମାନଙ୍କୁ ସନ୍ଦେହରେ ଥାନାକୁ ନେଇ ପଚରାଉଚରା କରିବା ପରେ ଛାଡ଼ି ଦେଇଥାନ୍ତି। ଯାହାକୁ ନେଇ ଦୁହେଁ ପିସିଆର ଭ୍ୟାନ୍‌ କର୍ମଚାରୀଙ୍କ ଉପରେ ରାଗ ରଖିଥିଲେ। ଗୁରୁବାର ରାତି ୧୨ଟାରେ ପିସିଆର ଭ୍ୟାନ୍‌ ବିଗ୍‌ବଜାର ଛକ ଦେଇ ଯାଉଥିବା ବେଳେ ଅନୁଓ୍ବାର ଓ ରାଜେଶ ଭ୍ୟାନ୍‌ ଉପରକୁ ଟେକାପଥର ପକାଇଥିଲେ। ପିସିଆରରେ ଥିବା କର୍ମଚାରୀ ଦାମୋଦର ସ୍ବାଇଁ ଦୁହିଁଙ୍କୁ ଧରିବାକୁ ଯିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଶେଷରେ ଅନ୍ୟ କର୍ମଚାରୀମାନେ ଉଭୟଙ୍କୁ କାବୁ କରି ଥାନାକୁ ଆଣିଥିଲେ।