ପିଲା କଳିରୁ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ, ୬ା୧-ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଖେଳକୁଦ ଚାଲିଥିଲା। ଜଣେ ଅନ୍ୟ ଜଣଙ୍କ ହାତକୁ କାମୁଡ଼ି ଦେଲା ା ଏହାକୁ ନେଇ ଉଭୟ ପିଲାଙ୍କ ଜେଜେ ଓ ଅଜାଙ୍କ ମଧ୍ୟରେ ପ୍ରଥମେ ବଚସା ହେଲା। ଏପରିକି ଜଣେ ଅନ୍ୟ ଜଣଙ୍କ ତଣ୍ଟି ଚିପି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କନ୍ଧମାଳ ଜିଲା ଫୁଲବାଣୀ ସହର ପିଅନପଡ଼ା ପାଖ କବରଖାନା ସାହିରେ ରବିବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି କବରଖାନା ସାହିର ଲଡୁବାବା ମହାରଣା(୫୫) ା ଅଭିଯୁକ୍ତ ତଥା ଲଡୁବାବାଙ୍କ ପଡ଼ୋଶୀ କାଳିଆ ସାହୁଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏ ନେଇ ନଂ. ୩/୨୦ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଲଡୁବାବାଙ୍କ ୮ ବର୍ଷୀୟ ନାତି ଓ କାଳିଆଙ୍କ ନାତି (ଝିଅର ପୁଅ) ଏକାଠି ଖେଳୁଥିଲେ ା କୌଣସି କାରଣକୁ ନେଇ କାଳିଆଙ୍କ ନାତି ଲଡୁବାବାଙ୍କ ନାତି ହାତକୁ କାମୁଡି ଦେଇଥିଲେ। ଲଡ଼ୁବାବାଙ୍କ ପୁଅ ଶିବରାମ ଏ ନେଇ କାଳିଆଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କାଳିଆ ଏବଂ ଅନ୍ୟମାନେ ତାଙ୍କୁ ମାରଧର କରିଥିଲେ। ପଡୋଶୀମାନେ ଶିବରାମଙ୍କୁ ଧରି କିଛି ଦୂର ନେଇ ଆସିଥିଲେ ା ଶିବରାମଙ୍କ ବାପା ଲଡୁବାବା ଏହା ଜାଣିବା ପରେ କାଳିଆଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ତାଙ୍କ ତଣ୍ଟି ଚିପି ଧରି ପାଖରେ ଥିବା ଡ୍ରେନକୁ ଫୋପାଡି ଦେଇଥିଲେ ା ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଏ ନେଇ ଲଡ଼ୁବାବାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୋଲିସ ମେଡିକାଲକୁ ଆସି ମୃତଦେହ ଜବତ କରିଥିଲା।