ପିପିଇ କିଟ୍‌, ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା

କଟକ ଅଫିସ,୯।୬: କରୋନା ଭୁତାଣୁର ମୁକାବିଲା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) କିଟ୍‌ ଓ ମାସ୍କ କିଣିଛନ୍ତି ରାଜ୍ୟ ସରକାର। ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିବା ପରେ ସୋମବାର ଏହାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଅକ୍ଷୟ ପତିଙ୍କ ପକ୍ଷରୁ ଗୋଟିଏ ଏବଂ ଅନ୍ୟଟି ନ୍ୟାଶନାଲିଷ୍ଟ ଲୟର୍ସ ଫୋରମ୍‌ ପକ୍ଷରୁ ଆବେଦନ ହୋଇଛି।
ଆବେଦନରେ ଉଲ୍ଲେଖ ରହିଛି ଯେ, କରୋନା ସଂକ୍ରମଣ ଦେଖାଦେବା ପରେ ମାସ୍କର କଳାବଜାରୀ ଆରମ୍ଭ ହୋଇଥିଲା। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ମାସ୍କର ଦର ସ୍ଥିର କରିଥିଲେ। ଡବଲ୍‌ ଲେୟାର ମାସ୍କ ୮ ଟଙ୍କା ଓ ଟ୍ରିପଲ ଲେୟାର ମାସ୍କ ଦର ୧୦ ଟଙ୍କା ରହିଥିଲା। ୨୧ ମାର୍ଚ୍ଚରେ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ଏହି ଦର ଜୁନ୍‌ ୩୦ ପର୍ଯ୍ୟନ୍ତ ଲାଗୁ ହେବ। ରାଜ୍ୟ ଔଷଧ ନିଗମ ଏପ୍ରିଲ୍‌ ୧୫ରେ ଟ୍ରିପଲ୍‌ ଲେୟାର ମାସ୍କକୁ ୯ ଟଙ୍କା ୯୦ ପଇସାରେ କିଣିବା ପାଇଁ ଫରିଦାବାଦ୍‌ର ଏକ କମ୍ପାନିକୁ ଅର୍ଡର ଦେଇଥିଲେ। କିନ୍ତୁ ଏହାର ମାତ୍ର ଦୁଇ ଦିନ ପରେ ଏପ୍ରିଲ୍‌ ୧୭ରେ ତାମିଲନାଡୁର ଏକ କମ୍ପାନି ୧୬ ଟଙ୍କାରେ ୩୦ ଲକ୍ଷ ଟ୍ରିପଲ ଲେୟାର ମାସ୍କ କିଣିବା ପାଇଁ ଅର୍ଡର ଦିଆଯାଇଥିଲା। ଶ୍ରୀବିଷ୍ଣୁ ଡିସ୍ପୋଜେବଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏହି କମ୍ପାନି ୱେବ୍‌ସାଇଟ୍‌ରେ ଦୁଇପ୍ରକାର ଟ୍ରିପଲ୍‌ ଲେୟାର ମାସ୍କର ଦାମ ୬ ଟଙ୍କା ଓ ୧୦ଟଙ୍କା ଲେଖାଯାଇଛି। ସେହିଭଳି ପିପିଇ କିଟ୍‌ ଗୋଟା ପିଛା ୯ଶହ ଟଙ୍କାରେ ଏକ ଲକ୍‌ କିଟ୍‌ ପାଇଁ ତାମିଲନାଡୁର ଏକ କମ୍ପାନି ଏମ୍‌ଏସ୍‌ ଲଫ୍‌ଟି ଅପ୍ଟିକାଲ୍‌ସ ଇଣ୍ଡଷ୍ଟ୍ରିଜ୍‌କୁ ଏପ୍ରିଲ୍‌ ୧୬ରେ ଅର୍ଡର ଦିଆଯାଇଛି। ଟେଷ୍ଟିଂ କିଟ୍‌ ମଧ୍ୟ ଭିନ୍ନଭିନ୍ନ ଦରରେ କିଣାଯାଇଛି। କଲିକତାର ଏକ କମ୍ପାନିକୁ ଏପ୍ରିଲ୍‌ ୨୧ରେ ଟେଷ୍ଟିଂ କିଟ୍‌ ପିଛା ୧୩୨୧ ଟଙ୍କାରେ ୨ଲକ୍ଷ କିଟ୍‌ ପାଇଁ ଅର୍ଡର ଦିଆଯାଇଛି। ସେହିପରି ୭ ମେ’ରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ ୧୧୨୫ ଟଙ୍କାରେ ୪୫ ହଜାର କିଟ୍‌, ମେ ୧୧ରେ ଭୁବନେଶ୍ୱରର ଏକ କମ୍ପାନିକୁ ୯୮୦ ଟଙ୍କାରେ ୪୯୨୦ଟି କିଟ୍‌ ପାଇଁ ଅର୍ଡର ଦିଆଯାଇଛି। ପିସିଆର୍‌ ମେଶିନର ଦାମ୍‌ ବଜାରରେ ୪ରୁ ୫ଲକ୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ୧୨ ଲକ୍ଷ ୯୪ ହଜାର ଟଙ୍କାରେ କିଣିଥିବା କୁହାଯାଉଛି। ତେଣୁ ସାମଗ୍ରୀ କିଣାରେ ଯୋଜନାବଦ୍ଧ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅଦାଲତଙ୍କୁ ପ୍ରାର୍ଥନା କରାଯାଇଛି।