ପିତ୍ତଳ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ

ଶେରଗଡ଼, ୨୩।୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ପିତ୍ତଳ ଓ ବ୍ରାହ୍ମଣଛାଇ କ୍ୱାରାଣ୍ଟଇନ କେନ୍ଦ୍ରକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ପରିଦର୍ଶନ କରିଥିଲେ। ସେଠାରେ ସେ କ୍ୱାରାଣ୍ଟାଇନ କେନ୍ଦ୍ରଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ସଂଗରୋଧ କେନ୍ଦ୍ରରେ ବ୍ୟାୟାମ କରନ୍ତୁ, ଚିତ୍ର ଆଙ୍କନ୍ତୁ ବୋଲି ଅନ୍ତେବାସୀଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ତେବେ ଏହି ଗସ୍ତ ସମୟରେ ଜିଲାପାଳ ଉପସ୍ଥିତ ବିଡିଓ ସୁରଞ୍ଜନ କୁମାର ସାହୁ,ତହସିଲଦାର ଡ଼.ଦୟାସିନ୍ଧୁ ପରିଡାଙ୍କୁ ବ୍ଲକର ସମସ୍ତ କେନ୍ଦ୍ର ଗୁଡିକର ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପିତ୍ତଳ ଠାରେ ଥିବା ଉଚ୍ଚ ବିଦ୍ୟାଳୟର କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ୧୫୩ ଜଣ ବ୍ୟକ୍ତିଙ୍କ ୨୧ଦିନ ଅବଧି ସରିଥିବା ଜିଲାପାଳ ଜାଣିବାକୁ ପାଇଥିଲେ। ତେବେ ସେମାନଙ୍କୁ ଯିବା ପରେ ଘରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ। ଏହି ୧୪ଦିନ ଘରେ ପୁରା ରହିଲେ କରୋନାକୁ ଆପଣମାନେ ହରାଇଦେବେ। ଆମର ବିଜୟ ହେବ ବୋଲି ଜିଲାପାଳ କହିଥିଲେ। ଏହାପରେ ପିତ୍ତଳ ଉଚ୍ଚ ବିଦ୍ୟାଳୟରେ ସହଯୋଗ କରିଥିବା ସ୍ବାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ବେଚ୍ଛାସେବୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ସନ୍ତୋଷ କୁମାର ପଟ୍ଟନାୟକ, ହୀନ ବେହେରା, ଶରତ ଚନ୍ଦ୍ର ପାତ୍ର କୃଷ୍ଣ ଚନ୍ଦ୍ର ସ୍ବାଇଁ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ।