ପିକ୍‌ଅପ୍‌ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୫।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ଗଡ଼ପଳାଶୁଣି-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ଏକ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ପିକଅପ ଧକ୍କାରେ ଗଡ଼ପଳାଶୁଣି ଗ୍ରାମର ଅଲେଖ ନାଏକଙ୍କ ଝିଅ ଲିଜା (୧୬)ଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ପିକଅପ ଗାଡିଟି ପଳାଶୁଣିରୁ କଙ୍କଡାହାଡ଼ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଲିଜା ଗାଧୋଇବାକୁ ପୋଖରୀକୁ ଯିବା ପାଇଁ ରାସ୍ତା ପାର ହେଉଥିବାବେଳେ ଗାଡିଟି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲିଜା ଦଶମ ଶ୍ରେଣୀରେ ପାଠ ପଢୁଥିଲେ। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପରଜଙ୍ଗ ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ମହାବିର ରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଏହାସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ଜବତ କରିଛି। ଖବର ଲେଖା ହେବାପର୍ଯ୍ୟନ୍ତ ରାସ୍ତାରୋକୋ ଚାଲିଥିବା ଜଣାପଡ଼ିଛି।