ପିଏସ୍‌ସି ପକ୍ଷରୁ ବିଭିନ୍ନ ରେଳଷ୍ଟେଶନ ପରିଦର୍ଶନ: ଅନୁଧ୍ୟାନ କଲେ ଯାତ୍ରୀଙ୍କ ସେବା

ଜଟଣୀ, ୧୮ା୭(ଡି.ଏନ.ଏ.):ରେଲୱେ ବୋର୍ଡର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ବୁଧବାର ଖୋର୍ଦ୍ଧାରୋଡ଼, ପୁରୀ, ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇ ବିଭିନ୍ନ ସମସ୍ୟା ଉପରେ ବୁଝିଥିଲେ। ଏଥିସହ ଖାଦ୍ୟ ଷ୍ଟଲ, ଭୋଜନ ବ୍ୟବସ୍ଥା, ପାନୀୟ ଜଳର ସୁବିଧା ଆଦି ସେବା ଯାତ୍ରୀଙ୍କୁ ଠିକ୍‌ ଭାବେ ଉପଲବ୍ଧ ହେଉଛି କି ନାହିଁ କମିଟି ସଦସ୍ୟମାନେ ଅନୁଧ୍ୟାନ କରିଥିଲେ। କମିଟିର ଚେୟାରମ୍ୟାନ ରମେଶ ଚନ୍ଦ୍ର ରତନଙ୍କ ନେତୃତ୍ୱରେ ପଞ୍ଚାନନ ରାଉତ, ବିଷ୍ଣୁପ୍ରସାଦ ଦାସ, ସତ୍ୟବ୍ରତ ଦତ୍ତ, ଭେଙ୍କଟ ରମଣୀ, ରାଜୀବ କୁମାର ଶର୍ମା ପ୍ରମୁଖ ସଦସ୍ୟ ପରିଦର୍ଶନ କରି ନିରୀକ୍ଷଣ କରିଥିଲେ। ପରେ ଜଟଣୀସ୍ଥିତ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ମୁଖ୍ୟଦପ୍ତର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଭିଜନର ଡିଆର୍‌ଏମ୍‌ ଏମ.କେ. ପୋଦାର, ଏଡିଆରଏମ୍‌ ରାଜକୁମାରଙ୍କ ସମେତ ଡିଭିଜନର ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ। ବିଭିନ୍ନ ଷ୍ଟେଶନରେ ସିସିଟିଭି ବ୍ୟବସ୍ଥା, ଉତ୍କୃଷ୍ଟମାନର ପାନୀୟ ଜଳ ଓ ଯାତ୍ରୀସେବା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ପ୍ରଦାନ ଉପରେ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଯାତ୍ରୀଙ୍କ ସେବାକୁ ଅଧିକ ଗୁରୁତ୍ୱ ଓ ଅଗ୍ରାଧିକାର ଦିଆଯାଉଥିବା ଡିଆରଏମ୍‌ ପୋଦାର ଆଲୋଚନା ସମୟରେ କହିଥିଲେ। ଏହି କମିଟି ୧୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାରୋଡ଼ ଡିଭିଜନର ବିଭିନ୍ନ ଷ୍ଟେଶନ ପରିଦର୍ଶନ କରି ଯାତ୍ରୀଙ୍କ ସୁବିଧା ଅନୁଧ୍ୟାନ କରିବେ।