Categories: ଗଞ୍ଜାମ

ପାହାଡ଼ ବ୍ଲାଷ୍ଟିଂ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

ବୁଗୁଡ଼ା,୩୧।୭(ଡି.ଏନ.ଏ.)-ବୁଗୁଡ଼ା ଥାନା ଚଢ଼ିଆପଲ୍ଲୀ ଛକ ଏବଂ ସ୍ଥାନୀୟ ଶକ୍ତିନଗରର ଏକ ଗୋଦାମ ଉପରେ ପୋଲିସ ଚଢ଼ାଉ କରି ବିସ୍ଫୋରକ ସାମଗ୍ରୀ ଜବତ ସହ ବୁଧବାର ୪ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ବୁଗୁଡ଼ା ଶକ୍ତିନଗରର ସୁଶାନ୍ତ କୁମାର ସାହୁ (ପାଣୁ), ଗୋଲିଆର ପଞ୍ଚୁ ଡ଼ାକୁଆ, ବେତାରସିଙ୍ଗିର ରଞ୍ଜିତ କୁମାର ଭୂୟାଁ ଓ ମହୁଲପଲ୍ଲୀର ପ୍ରକାଶ ଚନ୍ଦ୍ର ଗୌଡ଼। ଏନେଇ ବୁଗୁଡ଼ା ଥାନାରେ ନଂ. ୧୫୦/୧୯ରେ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ପଞ୍ଚୁ ଓ ରଞ୍ଜିତ ବାଇକ୍‌ରେ ବିସ୍ଫୋରକ ସାମଗ୍ରୀ ଧରି ଯାଉଥିବା ଖବର ପାଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ୱରେ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ଗିରଫ କରି ତାଙ୍କ ଠାରୁ ୭୫ଟି ଡେଟୋନେଟର ସହ ବାଇକ୍‌ ଜବତ କରିଥିଲେ। ପରେ ସେମାନଙ୍କୁ ପଚରାଉଚରା କରି ରାତି ପ୍ରାୟ ୯ଟାରେ ଶକ୍ତିନଗରରେ ଥିବା ପାଣୁଙ୍କ ଗୋଦାମରେ ପୋଲିସ ଚଢ଼ାଉ କରି ଅବଶିଷ୍ଟ ୫୨୩ ଡେଟୋନେଟର, ୭୦ କେଜି ଆମୋନିୟମ ନାଇଟ୍ରେଟ, ଏକ ବିସ୍ଫୋରକ ବ୍ୟାଟେରି, ୫ ବଣ୍ଡଲ ତାର, କଟର ଆଦି ଜବତ କରିଥିଲା। ଏହି କାରବାରରେ ପାଣୁଙ୍କୁ ମୁଖ୍ୟ କୁହାଯାଉଥିବା ବେଳେ ମହୁଲପଲ୍ଲୀର ପ୍ରକାଶ ଗୁମାସ୍ତା ଭାବେ କାମ କରି ବିଭିନ୍ନ ଖଣି ମାଫିଆମାନଙ୍କୁ ଏହି ସାମଗ୍ରୀ ଯୋଗାଉଥିଲେ। ଆସିକା ଅଞ୍ଚଳର ଗୋଟିଏ ବିଦ୍ୟାଳୟ ନିକଟରେ ବିସ୍ଫୋରଣ ଦ୍ୱାରା ୨ ଛାତ୍ର ଆହତ ହୋଇଥିବାରୁ ଗଞ୍ଜାମ ଜିଲାପାଳ ଏହାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଥାନା ଓ ତହସିଲକୁ ଚଢ଼ାଉ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବୁଗୁଡ଼ା ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଣୁ ପ୍ରତ୍ୟେକ ପଥର ପାହାଡ଼ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।