ପାହାଡ଼ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଜୟପୁର,୩୦।୧୨(ଡି.ଏନ୍‌.ଏ.) ଜୟପୁର ସହର ଉପକଣ୍ଠରୁ ମାତ୍ର ୩ କିମି ଦୂର ବାରିଣିପୁଟ ନିକଟସ୍ଥ ମହୁଲଭଟ୍ଟା ରାସ୍ତାରେ ଥିବା ପାହାଡ଼ରୁ ମୋରମ ଓ ମାଟି ବେଆଇନ ଚାଲାଣ କରାଯାଉଛି। ରାଜସ୍ବ ବିଭାଗ ଅଧୀନରେ ଥିବା ଏହି ପାହାଡ଼ରୁ ମାଟି ଓ ମୋରମ କେବଳ ବିଭାଗୀୟ ଅନୁମତି ଦ୍ୱାରା ସରକାରୀ ରାସ୍ତା ଓ ଅନ୍ୟ ଉନ୍ନୟନ କାମରେ ବ୍ୟବହାର କରାଯାଇପାରିବ। କିନ୍ତୁ ଏହି ମାଟିକୁ କେତେକ ମାଫିଆ ଜମି ସମତଳ କରିବା ଉଦ୍ଦେଶ୍ୟରେ ଲୁଟି ନେଉଛନ୍ତି। ଘରୋଇ କାମ ଓ ପ୍ଲଟିଂରେ ବ୍ୟବହାର ପାଇଁ ଏହିପରି କେତେକ ଅସାଧୁ ଟ୍ରାକ୍ଟର ମାଲିକ, ବ୍ୟବସାୟୀ ନିୟମିତ ପାହାଡ଼ରୁ ମାଟି ଓ ମୋରମ ଚୋରିକରି ବିକିବା ସହ ଲାଭବାନ ହେଉଛନ୍ତି। ଅଥଚ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଏହାର କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଉକ୍ତ ପାହାଡ଼ରୁ ଦୈନିକ ୩୦ ଟ୍ରାକ୍ଟରରୁ ଅଧିକ ମୋରମ ଓ ମାଟି ବେଆଇନ ଭାବେ ନିଆଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ପାହାଡ଼କୁ ଲାଗି ଏକ ଜମିକୁ ପ୍ଲଟିଂ କରାଯାଉଛି ା ପାହାଡ଼କୁ ଏଭଳି କଟାଯାଇ ସମତଳ କରାଗଲେ ସରକାରୀ ଜମିକୁ ମାଫିଆମାନେ ନିଜ ଅକ୍ତିଆରକୁ ନେବେ। ପରେ ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କୁ ଲାଞ୍ଚଦେଇ ନିଜ ନାମରେ ପଟ୍ଟା କରିବା ସହ ଏହାକୁ ବିକିବା ମସୁଧା ଚାଲିଛି। ତହସିଲ କାର୍ଯ୍ୟାଳୟରୁ ଅନତିଦୂରରେ ଥିବା ଏହି ପାହାଡ଼କୁ ଲୁଟ୍‌ ଉଦ୍ୟମ ବନ୍ଦ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଜୟପୁର ତହସିଲଦାରଙ୍କ ଫୋନକୁ ଯୋଗାଯୋଗ କରିବାରୁ ତାହା ସୁଇଚ୍‌ଡ ଅଫ୍‌ ଥିଲା। ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଉକ୍ତ ଅଞ୍ଚଳର ରାଜସ୍ବ ନୀରିକ୍ଷକଙ୍କୁ ଘଟଣାସ୍ଥଳକୁ ଯାଞ୍ଚ ପାଇଁ ପଠାଯିବ।