ପାଳିରେ ଯୋଗାଯାଉଛି ବିଜୁଳି

ତାଳଚେର,୨ା୩(ନି.ପ୍ର.) ତାଳଚେର ବ୍ଲକ ଚାଇଁପାଳ ଡିଭିଜିନ ଅନ୍ତର୍ଗତ ପାଲଲହଡ଼ା ସବ୍‌ଡିଭିଜନର କଣିହାଁ ବ୍ଲକ ପରାବିଲ ସେକ୍ସନରେ ଥିବା ପାୱାର ଟ୍ରାନ୍ସଫର୍ମର ୨ ଦିନ ହେଲା ପୋଡିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା କଣିହାଁ ବ୍ଲକର ୧୦ଟି ପଞ୍ଚାୟତ ବାସିନ୍ଦା ହଇରାଣ ହେଉଛନ୍ତି। କାମଚଳା ଭାବେ ଅନ୍ୟ ଟ୍ରାନ୍ସଫର୍ମରରୁ ପାଳିକରି ପ୍ରତି ପଞ୍ଚାୟତକୁ ୨ ଘଣ୍ଟା ଲେଖାଏ ବିଜୁଳି ଯୋଗାଯାଉଥିଲେ ବି ଏହା ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ବିଶେଷକରି ବର୍ତ୍ତମାନ ପରୀକ୍ଷା ଋତୁ ଯୋଗୁ ରାତିରେ ବିନା ବିଦ୍ୟୁତ୍‌ରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବାରେ ଅସୁବିଧା ହେଉଛି। ତୁରନ୍ତ କର୍ତ୍ତୃପକ୍ଷ ନୂଆ ପାଓ୍ବାର ଟ୍ରାନ୍ସଫର୍ମର ଲଗାଇବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।
ଅଞ୍ଚଳବାସୀ କହିଛନ୍ତି, ଅର୍କିଳ, କର୍ଣ୍ଣପାଳ, ପରାବିଲ, ବୁରୁକୁନା, ବିରୁ ସମେତ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ଉକ୍ତ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ। ୨ ଦିନ ତଳେ ହଠାତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ହଜାର ହଜାର ବିଦ୍ୟୁତ୍‌ ଉପଭୋକ୍ତା ଏହି ଜରୁରୀ ସେବା ନ ପାଇ ଅସୁବିଧା ଭୋଗୁଛନ୍ତି। ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷ ପ୍ରତି ପଞ୍ଚାୟତକୁ ପାଳିକରି ୨ ଘଣ୍ଟା ଲେଖାଏ ବିଦ୍ୟୁତ୍‌ ଯୋଗାଣ କରୁଛନ୍ତି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଆଗାମୀ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଏପରି ସମୟରେ ବିଦ୍ୟୁତ୍‌ ସେବା ନ ମିଳିବାରୁ ଛାତ୍ରୀଛାତ୍ରମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ଅଭିଭାବକମାନଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ବିଦ୍ୟୁତ୍‌ ଅଭାବରୁ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। କେବେ ପାଓ୍ବାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବ ଓ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରାଯିବ ତାହା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଜେଇ ନୀଳାଚଳ ପାତ୍ର କହିଛନ୍ତି, ମରାମତି କାମ ଚାଲୁ ରହିଛି। ଖୁବଶୀଘ୍ର ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହେବ।