ବିପଦର ସମ୍ମୁଖୀନ ହେଉଛନ୍ତି ସାର୍କ

ବାଲେଶ୍ୱର ଅଫିସ, ୧୫।୭-ବାଲେଶ୍ୱର ନୋସି ବିଜିନେସ୍‌ ପାର୍କର ଉତ୍କଳା ମଞ୍ଚରେ ପାଳିତ ହୋଇଛି ‘ସାର୍କ ଦିବସ’। ସାର୍କ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଶିକ୍ଷା ଦେବା ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସାମୁଦ୍ରିକ ପରିସଂସ୍ଥା ପାଇଁ ସାମ୍ପ୍ରତିକ ପରିସ୍ଥିତିରେ ପାଖାପାଖି ୧୦୦ ପ୍ରଜାତିର ସାର୍କ ଅନେକ ବିପଦର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଏଥିପାଇଁ ବାଣିଜି୍ୟକ ମାଛଧରା ଏବଂ ଜଳ ପ୍ରଦୂଷଣ ଦାୟୀ। ଏପରିକି ଜାଲରେ ଫସିଯାଉଥିବା ସାର୍କମାନେ ମଧ୍ୟ ବିପଦମୁଖୀ ହେଉଛନ୍ତି। ଏମାନଙ୍କୁ ସଙ୍କଟରୁ ମୁକ୍ତ କରିବା ପାଇଁ ସାର୍କ ଦିବସ ପାଳନ ଅବସରରେ ଆସୋସିଏଶନ୍‌ ଫର୍‌ ବାୟୋଡାଇଭରସିଟି କନ୍‌ଜରଭେଶନ୍‌ ଆଣ୍ଡ୍‌ ରିସର୍ଚ୍ଚ (ଏବିସି) ତରଫରୁ ବଳରାମଗଡ଼ିରେ ଥିବା ଟ୍ରଲର ସଂଘ ଏବଂ ସେଠିକାର କିଛି ମାଛ ଧରାଳିଙ୍କୁ ନେଇ ଆୟୋଜିତ ଦିବସରେ ତାଲିମ ଦିଆଯାଇଥିଲା। ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ଶିକ୍ଷାଗତ ସଚେତନତା କାର୍ଯ୍ୟକ୍ରମ ଏବଂ ଏହା କାହଁିକି ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସମ୍ୟକ୍‌ ସୂଚନା ଦିଆଯାଇଛି। ଅତିଥି ଶିଳ୍ପୀ କେଶୁ ଦାସ ଓ ଡ. ସିଦ୍ଧାର୍ଥ ପତି ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସାର୍କ ହେଉଛି ସାମୁଦ୍ରିକ ମାଛ ଯାହାକି ୪୦୦ ମିଲିୟନ ବର୍ଷ ପୂର୍ବରୁ ଅବସ୍ଥାନ କରିଛି। ସମଗ୍ର ପୃଥିବୀରେ ୪୫୦ ପ୍ରଜାତିରୁ ଅଧିକ ସଂଖ୍ୟାରେ ଏମାନେ ଦେଖିବାକୁ ମିଳନ୍ତି। ଏମାନଙ୍କୁ ମଧ୍ୟ ଶିକାରୀ ମାଛ କୁହାଯାଏ। ସାର୍କର ଲାଞ୍ଜ ଏହାର ଭାରସାମ୍ୟ, ଗତି, ବେଗ ଏବଂ ଦିଗ ନିର୍ଣ୍ଣୟରେ ସହାୟକ ହୋଇଥାଏ। ବହୁତ ପ୍ରଜାତିର ସାର୍କ ମଧ୍ୟରୁ କିଛି ହେଉଛନ୍ତି ଟାଇଗର୍‌ ସାର୍କ, ବୁଲ୍‌ ସାର୍କ, ଗ୍ରେଟ୍‌ ହ୍ବାଇଟ୍‌ ସାର୍କ, ମାକୋ ସାର୍କ। ସାର୍କର ଅନେକ ପ୍ରାଧାନ୍ୟତା ଅଛି, ଯେପରିକି ଏହା ସାମୁଦ୍ରିକ ପରିପାର୍ଶ୍ୱକୁ ସୁନ୍ଦର ଏବଂ ସୁସ୍ଥ ରଖିଥାଏ। ସେମାନେ କିଛି ମାଛ ସଂଖ୍ୟାକୁ ସନ୍ତୁଳନ କରି ରଖିଥାନ୍ତି ଏବଂ ମୃତ ଜୀବଜନ୍ତୁଙ୍କ କବଳରୁ ସମୁଦ୍ରକୁ ସ୍ବଚ୍ଛ ରଖିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।