ପାଳନ ହେବନି ଅକ୍ଷୟ ତୃତୀୟା

ଢେଙ୍କାନାଳ ଅଫିସ, ୨୬।୪ – ଓଡ଼ିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଏହି ଦିନଠାରୁ ଚାଷ ପାଇଁ ଆରମ୍ଭ ହୁଏ ପାଗଭିଡ଼ା। ଅଖି ମୁଠି ଅନୁକୂଳ ପରେ ଚାଷମନା ହୁଏ ଚାଷୀ। ହେଲେ ଚଳିତବର୍ଷ ସବୁକିଛି ବିଗାଡ଼ି ଦେଇଛି କରୋନା। ସାମାଜିକ ଦୂରତ୍ୱ ନିୟମ ଆଗରେ ପରମ୍ପରା ବଞ୍ଚାଇବା କାଠିକର ପାଠ ହୋଇପଡ଼ିଛି। ଏହିକ୍ରମରେ ରବିବାର ହେବାକୁ ଥିବା ଜିଲା ତଥା ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବକୁ ବନ୍ଦ ରଖିଛି ଢେଙ୍କାନାଳ ଜିଲା ପ୍ରଶାସନ। ବିଧି ବଞ୍ଚାଇବାକୁ ଚାଷୀମାନେ ବ୍ୟକ୍ତିଗତ ଭାବେ ସାମାଜିକ ଦୂରତା ରଖି ଚାଷ କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
ଢେଙ୍କାନାଳ ଜିଲାରେ ଅକ୍ଷୟ ତୃତୀୟା ଗଣପର୍ବ ଭାବେ ଦୀର୍ଘଦିନରୁ ପାଳିତ ହୋଇ ଆସୁଛି। ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ସମେତ ସରକାରୀସ୍ତରରେ ବ୍ଲକ ଏବଂ ଜିଲାସ୍ତରରେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ପାରମ୍ପରିକ ପଦ୍ଧତିରେ ପୂଜାର୍ଚ୍ଚନା ପରେ ଅଖିମୁଠି ଅନୁକୂଳ କରାଯିବା ନିୟମ ରହିଛି। ହେଲେ କରୋନା ପ୍ରକୋପ ଯୋଗୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସଂଖ୍ୟାଧିକ ଲୋକଙ୍କ ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସବୁ ଚାଷୀ ପରିବାର ପାଳନ କରିବାକୁ ଜିଲା କୃଷି ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
ଚଳିତ ମାସ ୧୯, ୨୨, ୨୪ ଓ ୨୫ ତାରିଖରେ କାଳବୈଶାଖୀ ପ୍ରଭାବରେ ଜିଲାରେ ବର୍ଷା ହୋଇଛି। ହେଲେ ଏଥିରେ ଚାଷ କ୍ଷତିଗ୍ରସ୍ତ ହୋଇ ନ ଥିବା ଜିଲା କୃଷି ଉପନିର୍ଦ୍ଦେଶକ କହିଛନ୍ତି। ଅଦିନିଆ ବର୍ଷା ଏବଂ ତତ୍‌ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ଅତିରିକ୍ତ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ ଜିଲାରେ ୯୦ ପ୍ରତିଶତ ଅଣଧାନ ଫସଲ ଅମଳ ସରିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଜିଲା କୃଷି ବିଭାଗ ଓ ଜରୁରୀ ଏବଂ ଆପାତ୍‌କାଳୀନ ବିଭାଗ ପକ୍ଷରୁ ଶନିବାର ମିଳିଥିବା ତଥ୍ୟ ଅନୁଯାୟୀ, ଶନିବାର ସୁଦ୍ଧା ଜିଲାରେ ମୋଟ୍‌ ୩୦୧.୮ ମିମି ବର୍ଷା ହୋଇଛି। ଢେଙ୍କାନାଳରେ ୨୬.୩, ଗଁଦିଆରେ ୨୩, ଓଡ଼ାପଡ଼ାରେ ୭୭, ହିନ୍ଦୋଳରେ ୨୯.୨, କାମାକ୍ଷାନଗରରେ ୩୬.୧, ଭୁବନରେ ୩୨, ପରଜଙ୍ଗରେ ୬୧ ଏବଂ କଙ୍କଡ଼ାହାଡ଼ରେ ୧୭.୨ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀ ଓ ଆପାତ୍‌କାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ସୂଚନା ଦେଇଛନ୍ତି ା