ପାଲାରେ ତାଲା: ପରିବା ବିକୁଛନ୍ତି ଗାୟକ, ବାୟକ

ବଇଣ୍ଡା,୨୫ା୫(ପରିକ୍ଷିତ ସାହୁ): ଦିନେ ତାଙ୍କ ଉପସ୍ଥିତି ପରିବେଶକୁ ପବିତ୍ର କରିଦେଉଥିଲା। ମନରେ ଧାର୍ମିକ ଭାବନା ଉଦ୍ରେକ କରୁଥିଲା। ତାଙ୍କ ଚରଣ ଓ ଚାମର ସ୍ପର୍ଶ ପାଇଁ ଆପେ ଆପେ ମଥା ନଇଁଯାଉଥିଲା। ହେଲେ ଆଜି ବଦଳି ଯାଇଛି ସେହି ସମୟ। କେଉଁଠି ଏକାଠି ଦେଖାଯାଉନାହାନ୍ତି ସେ କି ତାଙ୍କ ସାଥୀ କଳାକାର। ଗାଁଠାରୁ ସହର ଯାଏ କେଉଁଠାରେ ବି ଶୁଣାଯାଉନି ତାଙ୍କ ସ୍ବର। ତାଙ୍କୁ ଶୁଣିବା ପାଇଁ ମଧ୍ୟ କେହି ଅଟକି ଯାଉନାହାନ୍ତି ଦଣ୍ଡେ କି ଘଡ଼ିଏ। କାରଣ କରୋନା କଟକଣା ତାଲା ପକାଇଦେଇଛି ପାଲା ପରିବେଷଣରେ। ଯେଉଁଥିପାଇଁ ବେରୋଜଗାର ହୋଇଯାଇଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବହୁ ଗାୟକ, ବାୟକଙ୍କ ସହ ପ୍ରାୟ ୩ଶହ ପାଲା କଳାକାର। ପରିବାର ଚଳାଇବାକୁ ଏବେ କିଏ ମାଟି ମୁଣ୍ଡାଉଛନ୍ତି ତ କିଏ ରାସ୍ତା ପାର୍ଶ୍ୱରେ ବସି ବିକୁଛନ୍ତି ପରିବା।
ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ମୋଟ୍‌ ୫୨ଟି ପାଲା ପରିବେଷଣ ଦଳ ରହିଛି। ଏମାନଙ୍କୁ ନେଇ ଗଠନ ହୋଇଛି ମା’ ମାହେଶ୍ୱରୀ ପାଲା ପରିଷଦ ସଂଘ। ସଭାପତି ଶ୍ରୀକାନ୍ତ ମାହାରଙ୍କ କହିବା ଅନୁଯାୟୀ, ବର୍ଷର ୧୨ ମାସରୁ ୮ ମାସ ସେମାନେ ପାଲା ପରିବେଷଣ କରନ୍ତି। ତାହା ହିଁ ସେମାନଙ୍କ ଜୀବନ ଓ ଜୀବିକା। ଦୀର୍ଘ ୩୫ ବର୍ଷ ହେଲା ଏପରି ଭାବେ ସେମାନେ ପରିବାର ପ୍ରତିପୋଷଣ କରିଆସୁଛନ୍ତି। କେବଳ ଆଠମଲ୍ଲିକ କି ଅନୁଗୋଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ପାଲା ପରିବେଷଣ କରି ସେମାନେ ବହୁ ସମ୍ମାନ ପାଇଛନ୍ତି। ଗୋଟିଏ ଦଳରେ ୪ରୁ ୫ଜଣ ରହୁଥିବା ବେଳେ ରାତିକ ପାଇଁ ୪ରୁ ୫ ହଜାର ଟଙ୍କା ନେଇଥାନ୍ତି। ତେବେ ମାନସିକ ଷୋଳ ପାଲା ପାଇଁ ଅଧିକ ଅର୍ଥ ସେମାନେ ଦାବି କରିଥାନ୍ତି। ଏହାଛଡ଼ା ସରକାରଙ୍କ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମରୁ ମଧ୍ୟ କିଛିଟା ଆୟ କରିଥାନ୍ତି। ବିଭିନ୍ନ ପର୍ବପର୍ବାଣି, ଯାନିଯାତ୍ରା ବେଳେ ସେମାନଙ୍କୁ ଅଧିକରୁ ଅଧିକ ଅଞ୍ଚଳରୁ ଡାକରା ଆସିଥାଏ। କିନ୍ତୁ ଲକ୍‌ଡାଉନ ଯୋଗୁ ୨ ମାସ ହେଲା ସବୁକିଛି ବନ୍ଦ ହୋଇଯାଇଛି। ୩ଶହ କଳାକାର ବେକାର ହୋଇଯାଇଛନ୍ତି। ସଂଘ ସମ୍ପାଦକ ଜଗତମୋହନ ମିଶ୍ର କହିଛନ୍ତି, କଟକଣା ଯୋଗୁ ପରିବାର ଚଳାଇବାରେ ଅସୁବିଧା ହେଉଛି। କିଏ ମୂଲ ମଜୁରି କରୁଛନ୍ତି ତ କିଏ ଗାଁରେ କାଁ ଭାଁ ଅଟୋ ଚଳାଇ କିଛି ଆୟ କରିବାକୁ ଉଦ୍ୟମ କରୁଛନ୍ତି। ଲୁହାମୁଣ୍ଡାର ପାଲା କଳାକାର ବିନୋଦ କାଳିଆ, ବଡ଼ବର ଗ୍ରାମର ଶମ୍ଭୁନାଥ ମହାନ୍ତି, ମାଧପୁର ଅଞ୍ଚଳର ଶରଣ ବିଶ୍ୱାଳ କୁହନ୍ତି, ପାଲା ପରିବେଷଣ ବନ୍ଦ ଜୀବନକୁ ଯେପରି ଅଟକାଇ ଦେଇଛି। ଆର୍ଥିକ ସଙ୍କଟର ସମାଧାନ କରିବାକୁ ଆମ ମଧ୍ୟରୁ କେତେଜଣଙ୍କୁ ଦିନ ମଜୁରିଆ ଭାବେ କାମ କରିବାକୁ ପଡ଼ୁଛି। ଆଉ କେହି ପରିବା ବେପାର କରି ପରିବାର ସମ୍ଭାଳିନେବାର ଉଦ୍ୟମ କରୁଛନ୍ତି। ସରକାରଙ୍କ ପକ୍ଷରୁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଗଲେ ବଞ୍ଚିଯାଇପାରନ୍ତୁ ବୋଲି ପାଲା କଳାକାରମାନେ ପ୍ରକାଶ କରିଛନ୍ତି।