Categories: ଅନୁଗୋଳ

ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ ମାତ୍ର ୩ ବର୍ଷରେ ଅକାମୀ ହୋଇପଡିବାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ଉପଖଣ୍ଡ ବାସୀ ଏବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକଳ୍ପର ବିଶୋଧନାଗାର ଖରାପ ହୋଇଯାଇଥିବାରୁ ଲୋକଙ୍କୁ ସିଧାସଳଖ ମାଙ୍କଡା ନାଳ ପାଣି ଯୋଗାଯାଉଥିବା ଅଭିଯୋଗ ହୋଇଛି।
ପାଲଲହଡ଼ା ବାସୀଙ୍କ ଅଭିଯୋଗ ମୁତାବକ, ୨୦୧୬ରେ ପାଲଲହଡ଼ାରେ ପ୍ରତି ଲୋକ ପିଛା ଦିନକୁ ୨ ଥର ୭୦ ଲିଟର ଲେଖାଏ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଏକ ଘରୋଇ କମ୍ପାନୀ ସହଯୋଗରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଭୁବନେଶ୍ୱରର ଏକ ଠିକାସଂସ୍ଥା ଏହି କାମ ନେଇଥିଲା। ଏହି ପ୍ରକଳ୍ପ ଅଧୀନରେ ଏକ ୫୦ ହଜାର ଲିଟରର ପାଣି ଟାଙ୍କି ସହ ଏକ ପାଣି ବିଶୋଧନାଗାର ନିର୍ମାଣ କରାଯାଇଥିଲା। ୧୮ା୦୬ା୨୦୧୬ରେ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ସହ ପାଣି ବିଶୋଧନ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦିଆଯାଇଥିବାବେଳେ ପାଣି ବଣ୍ଟନ ତଥା ନୂତନ ପାଇପ ସଂଯୋଗ ଦାୟିତ୍ୱ ସ୍ଥାନୀୟ ନିଜିଗଡ ପଞ୍ଚାୟତକୁ ପ୍ରଦାନ କରାଯାଇଥିଲା। ପ୍ରକଳ୍ପ ଆରମ୍ଭରୁ ପାଣି ଯୋଗାଣ ଠିକଠାକ୍‌ ଚାଲିଥିବାବେଳେ କିଛି ଦିନ ପରେ ନିମ୍ନମାନର ପାଣିଟାଙ୍କିରେ ଲିକେଜ ହେବା ଆରମ୍ଭ ହୋଇଥିଲା। ପରେ ପାଣି ବିଶୋଧନାଗାରଟି ମଧ୍ୟ ଅଚଳ ହୋଇପଡିଥିଲା। ଏବେ ଏହାକୁ ମରାମତି କରା ନ ଯାଇ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ସିଧାସଳଖ ମାଙ୍କଡ଼ା ନାଳର ପାଣି ଯୋଗାଯାଉଥିବା ଅଭିଯୋଗ ହୋଇଛି। ଯୋଗାଣ ପାଣି ଗୋଳିଆ ହୋଇଥିବାବେଳେ ସେଥିରୁ ବିଭିନ୍ନ ପ୍ରକାର ପୋକଜୋକ ଭାସୁଥିବା ଲୋକ ଅଭିଯୋଗ ଆଣିଛନ୍ତି। ଏ ଦିଗରେ ତୁରନ୍ତ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ପାଲଲହଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କମଳାକାନ୍ତ ପାତ୍ରଙ୍କୁ ପଚାରିବାରେ ସେ ଏଥିପାଇଁ କର୍ମଚାରୀ ଅଭାବକୁ ଦାୟୀ କରିଛନ୍ତି। ଏଥିସହ ଜଳ ଯୋଗାଣଠାରୁ ବିଶୋଧନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କର ବୋଲି କହିଛନ୍ତି। ପଞ୍ଚାୟତକୁ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବା ଦାୟିତ୍ୱ ବିଭାଗର ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ବାବଦରେ ନିଜିଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାଏକ ଏହାକୁ ନିରାଧାର ବୋଲି କହିଛନ୍ତି। ପ୍ରକଳ୍ପର ସମସ୍ତ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏବଂ ଏବେ ମଧ୍ୟ ବିଭାଗର କର୍ମଚାରୀମାନେ ସବୁ କାର୍ଯ୍ୟ ବୁଝୁଛନ୍ତି ବୋଲି କହି ନିର୍ବାହୀ ଅଧିକାରୀ ବିଭାଗ ଉପରେ ଦୋଷ ଲଦିଛନ୍ତି। ନୂତନ ଉପଭୋକ୍ତାଙ୍କୁ ସଂଯୋଗ ଦେବା ଏବଂ ପାଣି ବିତରଣ କରିବା ତାଙ୍କ ଦାୟିତ୍ୱ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।