Categories: ଜାତୀୟ

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସୋମବାର ଆଲୋଚନା ବେଳେ କହିବା ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଛି। ମଙ୍ଗଳବାର ଏହି ଘଟଣାକୁ ନେଇ ପାର୍ଲାମେଣ୍ଟରେ ଝଡ଼ ସୃଷ୍ଟିହୋଇଛି। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଏହି ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବୀ ହେବା, ହଟ୍ଟଗୋଳ ଲାଗି ରହିବା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଏମିତିକି ବିରୋଧୀ ସଦସ୍ୟମାନେ ଗୃହ ଛାଡ଼ି ପଳାଇଥିଲେ। ପ୍ରଧାନମନ୍ତ୍ରୀ ଏନେଇ ନିଜେ ମନ୍ତବ୍ୟ ଦିଅନ୍ତୁ ବୋଲି ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ।
ସଭାରେ କଂଗ୍ରେସର ଉପନେତା ଆନନ୍ଦ ଶର୍ମା, ସିପିଆଇ ନେତା ଡି. ରାଜା ଏନେଇ ବିଭିନ୍ନ ପ୍ରଶ୍ନ କରିଥିଲେ। ସିପିଆଇଏମ୍‌, ଆପ୍‌, ଡିଏମ୍‌କେ, ଟିଏମ୍‌ସି, ଏସ୍‌ପି, ବିଏସ୍‌ପି ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଏଭଳି କୌଣସି ଅନୁରୋଧ ଟ୍ରମ୍ପଙ୍କୁ କରି ନ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସ୍ପଷ୍ଟ କରିଥିଲେ। ଲୋକ ସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଉତ୍ତର ମଗାଯାଇଥିଲା। ଶୂନ୍ୟକାଳରେ କଂଗ୍ରେସ ନେତା ମନୀଷ ତିଓ୍ବାରୀ, ଟିଏମ୍‌ସି ନେତା ସୌଗତ ରାୟ, ଏଆଇଏଡିଏମ୍‌କେ ନେତା ଟି.ଆର୍‌. ବାଲୁ ପ୍ରମୁଖ ସ୍ବର ଉଠାଇ ମୋଦିଙ୍କଠାରୁ ଉତ୍ତର ଦାବି କରିଥିଲେ। ଗୃହରେ ହଟ୍ଟଗୋଳ ହେବା ଯୋଗୁ ଏହାକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏନେଇ ସରକାରଙ୍କ ପକ୍ଷ ରଖିଥିଲେ। ସରକାର ସ୍ପଷ୍ଟ କରିଥିଲେ ହେଁ ବିରୋଧୀ ଏଥିରେ ସନ୍ତୁଷ୍ଟ ନ ହୋଇ ପ୍ରଧାନମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ।

Share