ପାରିବାରିକ କଳହର ଦୁଃଖଦ ପରିଣତି: ପଥରରେ କଚାଡ଼ି ୧୮ ବର୍ଷର ଯୁବକଙ୍କୁ ହତ୍ୟା

ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ ଛେଚି ହତ୍ୟା କରାଯାଇଛି। ଘରୋଇ କଳିକୁ କେନ୍ଦ୍ର କରି ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବାମେବାରୀ ଥାନା ଅଧିକାରୀ ପରେଶ ମହାନ୍ତି ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି। ମୃତକ ହେଲେ ନାରଣ ମହାନ୍ତଙ୍କ ସାନପୁଅ ପିତାମ୍ବର ମହାନ୍ତ। ଘଟଣାସ୍ଥଳରୁ ରକ୍ତଲଗା ପଥର ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରାଯାଇଛି। ହତ୍ୟାକାଣ୍ଡ ଘଟିଥିବା ଗାଁ ଥାନାଠାରୁ ୧୫ କି.ମି. ଦୂର ଏବଂ ଜଙ୍ଗଲ ଇଲାକାରେ ଥିବାରୁ ପୋଲିସ ମୃତଦେହକୁ ଜଗି ରହିଛି। ସୋମବାର ସକାଳେ ମୃତଦେହକୁ ଆଣି ବ୍ୟବଚ୍ଛେଦ କରାଯିବ।
ଥାନା ଅଧିକାରୀ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ମୃତ ପିତାମ୍ବରଙ୍କ ପିତା ନାରଣ ମହାନ୍ତଙ୍କର ୩ ସ୍ତ୍ରୀ ରହିଛନ୍ତି। ତାଙ୍କ ସାନ ସ୍ତ୍ରୀଙ୍କର ସାନପୁଅ ପିତାମ୍ବର । କିଭଳି ପରିସ୍ଥିତିରେ ତାଙ୍କୁ ପଥରରେ କଚାଡି ହତ୍ୟା କରାଗଲା, ସେ ନେଇ ତଦନ୍ତ ଚାଲିଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଏହି ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା। ଏନେଇ ଅନେକ ଥର ବାମେବାରୀ ଥାନାରେ ଏତଲା ହୋଇଛି। ତେବେ ରବିବାର ଘଟିଥିବା ବିଭତ୍ସ ହତ୍ୟା ଘଟଣା ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏଭଳି ସ୍ଥିତିରେ ପୋଲିସ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ନିଜ ହେପାଜତରେ ରଖିଥିବା କହିଛି।