ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ ଆସେସମେଣ୍ଟ)କୁ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ କେନ୍ଦ୍ରାପଡ଼ା ଜିଲାର ଶଶିଭୂଷଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ନଂ.୫୫/୨୦୧୮ରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଏକ ୪ଜଣିଆ କମିଟି ଏହାର ଯାଞ୍ଚ କରି ଗତ ୯ ତାରିଖରେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ତ୍ରୁଟି ରହିଥିବା ଜଣାଯାଇଛି। ଏସ୍‌ସିବି ମେଡିକାଲ କଲେଜର ଜଣେ ଡାକ୍ତର, କୃଷି ଓ ଉଦ୍ୟାନ ବିଭାଗର ୨ଜଣ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ଏହି କମିଟିରେ ସଦସ୍ୟ ଅଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ରେଳପଥ ନିର୍ମାଣବେଳେ ଯେଉଁ ମାଟି ଖୋଳାଯାଉଛି ସେଥିପାଇଁ ବିଭାଗୀୟ ଅଧିକାରୀଙ୍କଠାରୁ ଅନୁମତି ନିଆଯାଇନାହିଁ। କେନ୍ଦ୍ରାପଡ଼ା ଜିଲାର ୪୦ କି.ମି. ରେଳପଥ ପାଇଁ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଦେଇଥିବା ରିପୋର୍ଟରେ ତାଳମେଳ ନାହିଁ। ଯେଉଁ ଅଞ୍ଚଳ ଦେଇ ରେଳପଥ ନିର୍ମାଣ ହେଉଛି, ସେହି ଅଞ୍ଚଳର କୃଷି, ମୃତ୍ତିକା, ଜୀବନଶୈଳୀ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ ଆବଶ୍ୟକ ତର୍ଜମା କରାଯାଇନାହିଁ। ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ଠିକାସଂସ୍ଥା ମାଟି ଖୋଳା ବାବଦ ଜରିମାନା ଦେବାକୁ ମଧ୍ୟ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ୮୧ କିମିର ଏହି ରେଳପଥ ପାଇଁ ୨୦୦୯ରୁ ସରକାର ଉଦ୍ୟମ ଚଳାଇଛନ୍ତି। ଅନେକ ବିବାଦ, ରେଳ ବଜେଟ୍‌ରେ ଅର୍ଥ ବୃଦ୍ଧି ଆଦି ଯୋଗୁ କାର୍ଯ୍ୟରେ ବହୁ ବିଳମ୍ବ ହୋଇସାରିଲାଣି। ଗତ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଏହି ରେଳପଥରେ ଟ୍ରେନ ଚଳାଚଳ କରିବ। ଏପରି କି ଉକ୍ତ ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ରେଳ ଇଞ୍ଜିନ ଗଡ଼ି ସାରିଲାଣି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳପଥ କାମ ଚାଲିଥିଲା। ଏହି ସମୟରେ ଏବେ ଏନଜିଟି ନିର୍ମାଣ କାମ ଉପରେ ଅଙ୍କୁଶ ଲଗାଇବା ଫଳରେ ତାହା ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ୮୧ କି.ମି. ରେଳପଥ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ୪୦ କି.ମି. ରହୁଛି, ଯାହା କି କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରଥମ ରେଳଲାଇନ୍‌ ବୋଲି କୁହାଯାଉଛି।