ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର ରହିଛି। କିନ୍ତୁ ଏବେ ପାରାଦୀପ ପ୍ରଦୂଷଣ କ୍ଷେତ୍ରରେ ରାଜ୍ୟର ୧ ନଂ. ସ୍ଥାନ ଓ ମାରାତ୍ମକ ପ୍ରଦୂଷିତ ଅଞ୍ଚଳ ବୋଲି ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ୧୫ ବୃହତ୍‌ ଶିଳ୍ପକୁ ୫ ବର୍ଷ ହେଲା ବୋର୍ଡ ପକ୍ଷରୁ କୁହାଯାଉଥିଲେ ବି ଏହାକୁ ଅଣଦେଖା କରାଯିବା ଏବେ ସବୁ ଶିଳ୍ପସଂସ୍ଥା ପାଇଁ ଘାତକ ସାଜିଛି। ଫଳରେ ରାଜ୍ୟ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଆଧାରରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୭ଟି ବୃହତ୍‌ ଶିଳ୍ପସଂସ୍ଥାକୁ ୧ କୋଟି ଟଙ୍କା ଲେଖାଏ ଜରିମାନା ଦେବା ପାଇଁ ଗତ ଜାନୁୟାରୀ ୨୯ ତାରିଖରେ ଚିଠି (ନଂ.-୯୯୫) ଆସଛି। ୨୦୧୯ ନଭେମ୍ବର ୧୪ରେ ଏନ୍‌ଜିଟି ଅର୍ଡର (୧୦୩୮/୨୦୧୮) ସେକ୍ସନ ୩୧ ଏ, ବାୟୁ (ପ୍ରିଭେନଶନ ଆଣ୍ଡ୍‌ କଣ୍ଟ୍ରୋଲ ଅଫ୍‌ ପଲ୍ୟୁଶନ) ଆଇନ ୧୯୮୧, ସେକ୍ସନ ୩୧ ଏ, ଜଳ ଆଇନ ୧୯୭୪ ଅନୁସାରେ ଏହି ଜରିମାନା ଲାଗୁ କରାଯାଇଥିବା ନୋଟିସ୍‌ରେ ଦର୍ଶାଯାଇଛି। ୧ କୋଟି ଲେଖାଏ ଜରିମାନା ନୋଟିସ୍‌ ପାଇଥିବା ଶିଳ୍ପସଂସ୍ଥା ହେଲେ ପାରାଦୀପ ବନ୍ଦର, ଏସାର ଷ୍ଟିଲ, ଏସାର ପାଓ୍ବାର, ପିପିଏଲ୍‌, ଇଫ୍‌କୋ, ପାରାଦୀପ ତୈଳ ବିଶୋଧନାଗାର ଓ ଗୋଆ କାର୍ବନ।
ସେହିପରି ୨୫ରୁ ୫୦ ଲକ୍ଷ ଟଙ୍କା ଜରିମାନା ନୋଟିସ୍‌ ପାଇଥିବା ସଂସ୍ଥା ଗୁଡ଼ିକ ହେଲା, ଅବିନବେଉ ଲିମିଟେଡ୍‌ (ବିଅର ଫ୍ୟାକ୍ଟ୍ରି), ସେଞ୍ଚୁରୀ ପ୍ଲାଜା, ଗୋଲ୍‌ଡେନ୍‌ ଆଙ୍କର, ଆରିଷ୍ଟୋକାଟ୍‌, ନନ୍ଦିଘୋଷ ଓ ଇଣ୍ଟରନ୍ୟାଶନାଲ ହୋଟେଲ। ୨୦୧୫ ରୁ ୨୦୨୦ ବର୍ଷ ପାଇଁ (୩୧।୧୨।୨୦୧୯) ମଧ୍ୟରେ ଏହି ସବୁ ଶିଳ୍ପ ସଂସ୍ଥାର ଜଳ ଓ ବାୟୁ ରିପୋର୍ଟ ଲଗାତର ବୃଦ୍ଧି ପାଇଛି। ୨୦୧୫ରୁ ପାରାଦୀପକୁ ପିଆଇଏ (ପଲ୍ୟୁଟେଡ୍‌ ଇଣ୍ଡଷ୍ଟ୍ରିଆଲ ଏରିଆ) ଭାବେ ଘୋଷଣା କରାଯାଇଥିବା ବେଳେ ୨୦୧୬ରେ ରେଡ (ନାଲି) କ୍ୟାଟେଗୋରି ବୋଲି କୁହାଗଲା। ୨୦୧୯ ସେପ୍ଟେମ୍ବର ୧୯ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରଣାଳୟ (ଚିଠି ନଂ. ୧୭୬୭୪) ପାରାଦୀପକୁ କ୍ରିଟିକାଲ ପଲ୍ୟୁଟେଡ୍‌ ଏରିଆ ବୋଲି ଘୋଷଣା କରିଥିଲା।
ତେଣୁ ଏବେ ଏନ୍‌ଜିଟି ପକ୍ଷରୁ ବିଭିନ୍ନ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ୍‌ ଜାରି କରାଯାଇଥିବା ବେଳେ ୧୫ଦିନ ମଧ୍ୟରେ ଜରିମାନା ରାଶି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କ ନିକଟରେ ଜମା କରିବା ପାଇଁ କୁହାଯାଇଛି। କିନ୍ତୁ ଶୁକ୍ରବାର ସୁଦ୍ଧା କୌଣସି ଶିଳ୍ପସଂସ୍ଥା ଜରିମାନା ଅର୍ଥ ଜମା କରିନାହାନ୍ତି ବୋଲି ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। କେତେକ କମ୍ପାନୀ ଜରିମାନା ଅର୍ଥ ଭରଣା କରିବେ ବୋଲି କହୁଥିବା ବେଳେ ଆଉ କେତେକ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହୁଛନ୍ତି। କିନ୍ତୁ ଏହି ନୋଟିସ୍‌ ଜାରି ହେବା ପରେ ଏବେ କେତେକ କମ୍ପାନୀ ପକ୍ଷରୁ ସର୍ବାଧିକ ଧୂଳି ଉଡୁଥିବା ଅଠରବାଙ୍କି, ତାରିଗଡ଼ା, ଜଳାଶୟ ପାଖ ରାସ୍ତାରେ ନିୟମିତ ସଫେଇ କରାଯାଉଥିବା ଦେଖାଯାଉଛି। ଏହାସତ୍ତ୍ୱେ ପ୍ରଦୂଷଣ ଆସ୍ତରଣ ସେତେଟା କମି ନ ଥିବା ଜଣାପଡ଼ିଛି।