Categories: ରାଜ୍ୟ

ପାରାଦୀପରେ ପ୍ରତିଷ୍ଠା ହେବ ଲବଣ ଅପସାରଣ କାରଖାନା: ବନ୍ଦର ଓ ଏନଆଇଓଟି ମଧ୍ୟରେ ଚୁକ୍ତି ସ୍ବାକ୍ଷର

ପାରାଦୀପ,୧୬ା୭ (ସ୍ବ.ପ୍ର.): ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସହ ପାନୀୟଜଳର ଅଭାବ ଚିନ୍ତାର ବିଷୟ ହେଲାଣି। ଏଥିପାଇଁ ପାଣିକୁ ନେଇ ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ଶିଳ୍ପ ସମୃଦ୍ଧ ପାରାଦୀପରେ ମଧ୍ୟ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହାର ସମାଧାନ ନିମନ୍ତେ ପାରାଦୀପ ବନ୍ଦର
ଏକ ଲବଣ ଅପସାରଣ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଏଥିରେ ସମୁଦ୍ରର ଲୁଣିପାଣିକୁ ଶୋଧନ କରି ମଧୁର ଜଳ ବାହାର କରାଯିବ। ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଏନେଇ ସୋମବାର ସନ୍ଧ୍ୟାରେ ପାରାଦୀପ ବନ୍ଦର ଓ ଏନଆଇଓଟି (ନ୍ୟାଶନାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ ଟେକ୍ନୋଲୋଜି) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଏନ୍‌ଆଇଓଟି ହେଉଛି କେନ୍ଦ୍ର ସରକାରଙ୍କ ଭୂତଳ ବିଜ୍ଞାନ ଅଧୀନ ସ୍ବିକୃତିପ୍ରାପ୍ତ ସଂସ୍ଥା। ପାରାଦୀପ ବନ୍ଦର ମୁଖ୍ୟଯନ୍ତ୍ରୀ କେ. ରାମଚନ୍ଦ୍ର ରାଓ, ଏନଆଇଓଟିର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍‌.ଭି. ରାମଣାମୂର୍ତ୍ତି ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏ ସମ୍ପର୍କରେ ଦୁଇ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପ୍ରକଳ୍ପ ପାଇଁ ୧୧୬ କୋଟି ଟଙ୍କା ପାରାଦୀପ ବନ୍ଦର ଖର୍ଚ୍ଚ କରିବ। ଏଥିପାଇଁ ଆବଶ୍ୟକ ୩ରୁ ୪ ଏକର ଜାଗା ମଧ୍ୟ ଯୋଗାଇଦେବ। ଉକ୍ତ ପ୍ରକଳ୍ପରୁ ଦୈନିକ ୧୦ ଏମ୍‌ଏଲ୍‌ଡି ମଧୁର ଜଳ ସଂଗ୍ରହ ହେବ। ଏହାକୁ ଖରାଦିନେ ସାଧାରଣ ଲୋକଙ୍କ ସହ ଜାହାଜକୁ ମଧ୍ୟ ଯେଗାଇ ଦିଆଯିବ। ଏନେଇ ଚଳିତବର୍ଷ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ପ୍ରକଳ୍ପ ପାଇଁ ୨ରୁ ୩ ବର୍ଷ ଲାଗିବ। ଏହି ଚୁକ୍ତିପତ୍ର ସ୍ବାକ୍ଷରବେଳେ ସର୍ବୋଚ୍ଚ ଯନ୍ତ୍ରୀ ପି.କେ.ବିନ୍ଧାଣୀ, ପରାମର୍ଶଦାତା ଜିତ୍‌ଶତ୍ରୁ ମହାନ୍ତି, ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ବିନାୟକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।