ପାରଳା ମହାରାଜାଙ୍କ ପରଲୋକ, ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବ୍ରହ୍ମପୁରର ପୂର୍ବତନ ଏମ୍‌ପି ତଥା ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ପରଲୋକ ଘଟିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଦୁଃଖ ପ୍ରକାଶ କରିବା ସହ ଗଜପତିଙ୍କ ବିୟୋଗ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଗଜପତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

 

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିଥିଲା କିନ୍ତୁ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୨୦୧୭ ଜାନୁୟାରୀରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ଭୋର୍‌ ୪ଟା ୨୦ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।