ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ପମ୍ପ ହାଉସରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଫଳରେ ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
ଅଭିଯୋଗ ଅନୁଯାୟୀ, ଉଚ୍ଚ ପ୍ରାଥମିକ ସ୍କୁଲସାହିର ୧୦୦ରୁ ଊର୍ଦ୍ଧ୍ୱ ଏବଂ କୁମୁସୀ ଗ୍ରାମର ୫ଶହରୁ ଊଦ୍ଧର୍‌ବ ପରିବାରରୁ ଉକ୍ତ ପମ୍ପ ହାଉସରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। ଉଚ୍ଚ ପ୍ରାଥମିକ ସ୍କୁଲ ସାହି ଦେଇ ପାଇପ ବିଛାଯାଇଛି। ହେଲେ ୫୦ରୁ ଊର୍ଦ୍ଧ୍ୱ ପରିବାର ବେଆଇନ ଭାବେ ପାଇପ କଣା କରି ପମ୍ପ ଲଗାଇ ପାଣି ନେଉଛନ୍ତି। ଫଳରେ ତଳମୁଣ୍ଡକୁ ଠିକ୍‌ ଭାବେ ପାଣି ପହଞ୍ଚତ୍ ପାରୁନାହିଁ। ତୁରନ୍ତ ବେଆଇନ ପାଇପ୍‌ ସଂଯୋଗ କାଟିବା ସହ ଅନ୍ୟ ଏକ ପାଇପ୍‌ ବିଛାଇ ଜଳ ଯୋଗାଣ କରିବା ଦାବିରେ ରବିନାରାୟଣ ପଣ୍ଡା, ଦେବାଶିଷ ଧର, ଦିଲୀପ ମହାରଣା, ନରୋତ୍ତମ ମହାରଣା, ଅଜୟ ପାଣିଗ୍ରାହୀ, କୁଳମଣି ମହାରଣା, ନିନି ପଣ୍ଡା ପ୍ରମୁଖ ପମ୍ପ ହାଉସରେ ତାଲା ପକାଇ ଦେଇଛନ୍ତି। ଏହାର ସମାଧାନ ନ ହେବା ଯାଏ ତାଲା ଖୋଲିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ନେଇ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, ସେ ସମସ୍ୟା ପ୍ରତି ଅବଗତ ଅଛନ୍ତି। ନୂତନ ପାଇପ୍‌ ବିଛାଇବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ହେଲେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ କାମ ହୋଇପାରୁନାହିଁ। ଏହାର ତୁରନ୍ତ ସମାଧାନ କରାଯିବ। ତାଲା ଖୋଲିବା ସହ ଏଥିରେ ସହଯୋଗ କରିବାକୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯିବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି।