ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ ପାନୀୟ ଜଳ ପାଇଁ ବସ୍ତି ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗାଁର ଜନସଂଖ୍ୟା ୧ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଭୋଟରଙ୍କ ସଂଖ୍ୟା ପ୍ରାୟ ୬ ଶହ ହେବ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। ଦଳିତ ସମ୍ପ୍ରଦାୟର ପ୍ରାୟ ୬୦ରୁ ଅଧିକ ପରିବାର ରହୁଛନ୍ତି। ଏମାନଙ୍କ ପାଇଁ ପଡ଼ାରେ ଗୋଟିଏ ମାତ୍ର ନଳକୂପ ରହିଛି। ବିଭିନ୍ନ ସମୟରେ ଏହା ମଧ୍ୟ ଅଚଳ ହୋଇପଡୁଛି। କେତେବେଳେ ପାଣି ବାହାରୁ ନାହିଁ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନଳକୂଅ ଅଚଳ ହେଉଛି। ଅସ୍ପୃଶ୍ୟତା କାରଣରୁ ଅନ୍ୟ ନଳକୂଅ ବ୍ୟବହାର କରିବାକୁ ସେମାନଙ୍କୁ ବାରଣ କରାଯାଇଛି। ଗ୍ରୀଷ୍ମଋତୁ ଆରମ୍ଭରୁ ଏହି ନଳକୂଅ ୩ ଥର ଅଚଳ ପରେ ମରାମତି ହୋଇଛି। ଏବେ ୮ଦିନ ହେଲା ପୁଣି ନଳକୂଅ ଅଚଳ। ବସ୍ତିବାସିନ୍ଦା ଏ ନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ବହୁ ଲୋକଙ୍କ ପାଇଁ ଗୋଟିଏ ନଳକୂଅ ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ବସ୍ତିରେ ଆଉ ଏକ ନଳକୂଅ ଖୋଳାଇବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏ ନେଇ ବସ୍ତିବାସିନ୍ଦା ସରପଞ୍ଚ ବନଜାବାସିନୀ ମହାପାତ୍ରଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ନୂଆ ନଳକୂଅ ଖୋଳିବା ପାଇଁ ସରପଞ୍ଚ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗାଁ ସ୍କୁଲ ପାଖରେ ଏକ ସୋଲାର ପ୍ଲାଣ୍ଟ ମାଧ୍ୟମରେ ୫ ଲକ୍ଷ ଟଙ୍କା ବ୍ୟୟରେ ଉଠା ପାଇପ୍‌ ଜଳ ବସ୍ତିବାସିନ୍ଦାଙ୍କୁ ଯୋଗାଇ ଦିଆଯିବା ନେଇ ସମସ୍ତ ପ୍ରସ୍ତୁତି ସରିଛି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। କିନ୍ତୁ ନଳକୂଅ କି ଉଠା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ଆଜିଯାଏ ଶୁଭାରମ୍ଭ ହୋଇପାରୁ ନାହିଁ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ବଣିଆ କହିଛନ୍ତି, ଏଥର ନଳକୂଅ ଅଚଳ ଥିବା ଖବର ଜାଣିନୁ। ଗତଥର ଲିଖିତ ଅଭିଯୋଗ ପରେ ନଳକୂଅ ତୁରନ୍ତ ମରାମତି କରିଥିଲୁ। ଉଠା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆକ୍ସନ୍‌ ପ୍ଲାନ୍‌ କରି ପଠାଯାଇଛି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟକାରୀ ହେବ।