ପାତ୍ରପୁର ସରପଞ୍ଚ ଅଯୋଗ୍ୟ ଘୋଷିତ

ପାତ୍ରପୁର,୨୭ା୧୧(ଡି.ଏନ୍‌.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ଲୋପାମୁଦ୍ରା ବେହେରା ୨ରୁ ଅଧିକ ସନ୍ତାନ ଥିବା ଏକ ମାମଲାର ଶୁଣାଣି କରି ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି।
ପ୍ରକାଶ ଯେ, ଗତ ସରପଞ୍ଚ ନିର୍ବାଚନରେ ପାତ୍ରପୁର ପଞ୍ଚାୟତରୁ ଭାଜପା ସମର୍ଥନରେ ଶ୍ରୀଦେବି ବିଜୟୀ ହୋଇଥିଲେ। ଶ୍ରୀଦେବୀଙ୍କର ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ ପବଦୀକୁ ଅଯୋଗ୍ୟ ଘୋଷିତ କରିବାକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅମ୍ବିକା ବିଷୋୟୀ ପାତ୍ରପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ କୋର୍ଟରେ ମାମଲା ଦାୟର କରିଥିଲେ। ସମସ୍ତ ଦିଗକୁ ଅନୁଧ୍ୟାନ ପରେ ସରପଞ୍ଚ ଶ୍ରୀଦେବୀ ୩ ସନ୍ତାନର ଜନନୀ ଥିବା ପ୍ରମାଣିତ ହୋଇଥିଲା। ବିଚାରପତି ବେହେରା ମଙ୍ଗଳବାର ସନ୍ଧ୍ୟାରେ ସରପଞ୍ଚ ଏ ଶ୍ରୀଦେବୀଙ୍କ ପଦବୀକୁ ଅଯୋଗ୍ୟ ଘୋଷଣା କରିବା ସହ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥିନୀ ଅମ୍ବିକାଙ୍କୁ ସରପଞ୍ଚ ଘୋଷଣା କରିଛନ୍ତି। ରାୟ ପ୍ରକାଶ ପରେ ବିଜେଡିର ପତିତପାବନ ଦ୍ୟାନ ସାମନ୍ତରା, ମହେନ୍ଦ୍ର ସେଠୀ ଓ ଅନ୍ୟନେତାମାନେ ଖୁସି ମନାଇଛନ୍ତି। ଅମ୍ବିକାଙ୍କ ପକ୍ଷରୁ ଆଇନଜୀବୀ ବିଜୟ ପ୍ରଧାନ ଓ ପ୍ରଫୁଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ। ଶ୍ରୀଦେବୀ ଜିଲା ଅଦାଲତରେ ଆଶ୍ରୟ ନେବେ ବୋଲି କହିଛନ୍ତି।