ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ଉଲୁଣ୍ଡା, ୧୭ା୬(ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରଠାରେ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ସୋମବାର ସମ୍ପନ୍ନ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁସାରେ ସକାଳ ୫ଟାରେ ଦ୍ୱାରଫିଟା, ୫ା୩୦ଟାରେ ଦ୍ୱାରପାଳ ପୂଜା ଓ ସୂର୍ଯ୍ୟପୂଜା, ୬ଟାରେ ମଙ୍ଗଳଆଳତୀ, ୭ଟାରେ ଖେଚୁଡି ଭୋଗ ଓ ବେଶ, ୮ା୩୦ରେ ମଙ୍ଗଳାରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ପରେ ପୂର୍ବାହ୍ନ ୯ଟାରେ ଗୋଟିପହଣ୍ଡି ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସ୍ନାନମଣ୍ଡପରେ ଅଧିଷ୍ଠିତ କରାଯାଇ ପୂଜାନୀତି ଓ ହୋମ ସମ୍ପନ୍ନ କରାଯାଇଥିଲା। ସେହିପରି ପୂର୍ବାହ୍ନ ୧୧.୩୦ରେ ପୂଣ୍ୟତୋୟା ମହାନଦୀର ବଡାଲି ଘାଟରୁ ଅଣାଯାଇଥିବା ୧୦୮ ପୂର୍ଣ୍ଣକୁମ୍ଭ ଜଳ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କୁ ୩୫, ଶ୍ରୀବଳଭଦ୍ରଙ୍କୁ ୩୩, ମାତା ସୁଭଦ୍ରାଙ୍କୁ ୨୨ ଏବଂ ସୁଦର୍ଶନ ଠାକୁରଙ୍କୁ ୧୮ କୁମ୍ଭ ରୌପ୍ୟ କୁମ୍ଭରେ ସ୍ନାନ କରାଯାଇଥିଲା। ମୂଖ୍ୟପୂଜକ ବିଶେଶ୍ୱର ପାଢୀ ଓ ଗୁନାକର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଯଜ୍ଞ ଆଚାର୍ଯ୍ୟ ଭାବେ ଦେବାର୍ଚ୍ଚନ ଦାଶ, କର୍ତ୍ତା ଗଡତ୍ୟା ଚମରା ଅମାତ ନୀତିକାନ୍ତି ସମ୍ପାଦନ କରିଥିଲେ। ଅପରାହ୍ନ ୧ଟାରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗଜାନନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ସମୟରେ ଠାକୁରମାନଙ୍କୁ ଅଣସର ଗୃହରେ ବିଜେ କରାଯାଇଥିଲା।