ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇପଡ଼ିଥିବାବେଳେ ଗ୍ରାମବାସୀ ପାଣି ପାଇଁ ଦେଢ଼ କିମି ଯାଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
କୁଲେଇ ରଗଡ଼ି ସାହିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପାନୀୟଜଳ ଯୋଗାଣ ପାଇଁ ଥିବା ଏକମାତ୍ର ନଳକୂପ ୨ମାସ ହେଲା ଅଚଳ ହୋଇପଡ଼ିଛି। ଅନ୍ୟ ସୁବିଧା ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଦେଢ଼ କିମି ବାଟ ଚାଲି ଚାଲି ଯାଇ ପାଣି ଆଣୁଛନ୍ତି। ଏ ନେଇ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସମସ୍ୟାର ତୁରନ୍ତ ସମାଧାନ ନ କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ ଆହୁରି ମଧ୍ୟ କହିଛନ୍ତି, ଖରାଦିନ ପୂର୍ବରୁ ଏପରି ସମସ୍ୟା ଆରମ୍ଭ ହେଲାଣି। ଆଗକୁ ଏହା ଆହୁରି ଉତ୍କଟ ରୂପ ଧାରଣ କରିବ। ବେଳ ଥାଉ ଥାଉ ପ୍ରଶାସନ ଏହାର ସମାଧାନ ନ କଲେ ସମସ୍ୟା ଅଣାୟତ୍ତ ହୋଇପଡ଼ିବ। କେବଳ ଜନସାଧାରଣ ନୁହନ୍ତି, ଏଥିରେ ଗୃହପାଳିତ ପ୍ରାଣୀ ମଧ୍ୟ ପ୍ରଭାବିତ ହେବେ। ତେଣୁ ଶତାଧିକ ଲୋକଙ୍କ ଏକ ମାତ୍ର ସାହାଭରସା ପାଲଟିଥିବା ଉକ୍ତ ନଳକୂପକୁ ତୁରନ୍ତ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ସରପଞ୍ଚ ସୀମାନ୍ତ କୁମାର ଜେନା କୁହନ୍ତି, ସାହିରେ ଥିବା ଏକ ମାତ୍ର ନଳକୂପ ଖରାପ ହୋଇଯାଇଛି। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବିରଜା ଶଙ୍କର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରି ନ ଥିଲା।