ପାଣି କାଦୁଅ ଯୋଗୁ ଜମୁନି ବେପାର

ବଅଁରପାଳ,୧୭ା୬(ଡି.ଏନ.ଏ.)

କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ ବସୁଛି। ତେବେ ହାଇସ୍କୁଲ ପଡ଼ିଆରେ ବ୍ୟବସାୟ ପାଇଁ ବିଶେଷକିଛି ସୁବିଧା ନ ଥିବାରୁ ଏହାକୁ ନେଇ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ବର୍ତ୍ତମାନ ବର୍ଷା ସମୟରେ ପଡ଼ିଆଟି ପାଣି କାଦୁଅରେ ଭରିଯାଉଛି। ଏପରି ଅବସ୍ଥାରେ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ବସିଥାଏ। ଏଠାରେ ପନିପରିବାଠାରୁ ଆରମ୍ଭ କରି ମନୋହରି ସାମଗ୍ରୀ ଆଦି ବିକ୍ରି କରାଯାଏ। ଗୋତମରା, ବନ୍ଦା, ନୂଆହତା, ବୁଢ଼ାପଙ୍କ, କୁଲାଡ଼, ଗିରାଙ୍ଗ, ତଳମୂଳ, ସନ୍ତ୍ରୀ, ବଉଳିଗଡ଼, କଲଣ୍ଡାପାଳ ସମେତ ଆଖପାଖ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରନ୍ତି। କିନ୍ତୁ ଲକ୍‌ଡାଉନ୍‌ ପରଠାରୁ ଏହି ପୁରୁଣା ହାଟକୁ ୨ ଭାଗ କରାଯାଇଛି। ପୂର୍ବ ସ୍ଥାନରେ ଥିବା ହାଟରେ ପିଣ୍ଡିଠାରୁ ପାନୀୟ ଜଳ ଓ କଂକ୍ରିଟ୍‌ ସଡ଼କର ସୁବିଧା ରହିଛି। ଫଳରେ ସେଠାରେ ଭଲ ବ୍ୟବସାୟ ହେଉଥିବା ବେଳେ ନୂଆ ସ୍ଥାନ ହାଇସ୍କୁଲ ପଡ଼ିଆକୁ ଅଧିକ ଗ୍ରାହକ ଆସୁନାହାନ୍ତି। ଏହାଛଡ଼ା ବର୍ଷା ଯୋଗୁ ଏହି ପଡ଼ିଆରେ ପାଣି ଓ କାଦୁଅ ଭରିଯାଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିରେ ପଶି କିଏ ପରିବା କିଣିବ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ବ୍ୟବସାୟୀ ପ୍ରଦୀପ ବେହେରା ଓ କାଠିଆ ପରିଡା କହିଛନ୍ତି, ପୁରୁଣା ହାଟରେ ଯେଉଁଭଳି ବେପାର ହେଉଥିଲା ଏଠାରେ ତାହା ହେଉନାହିଁ। ସେଠାରେ ବହୁ ସୁବିଧା ରହିଥିଲା। କିନ୍ତୁ ଏଠାରେ ପାଣି ଓ କାଦୁଅ। ତେଣୁ ଦିନମାନ ବସି ରହିଲେ ବି ସେପରି ବେପାର ହେଉନାହିଁ। ଏଥିଯୋଗୁ କ୍ଷତି ସହିବାକୁ ପଡ଼ୁଛି। ଗ୍ରାହକ ପ୍ରକାଶ ଧୀର କହିଛନ୍ତି, ପୂର୍ବରୁ ଗୋଟିଏ ସ୍ଥାନରେ ହାଟ ବସୁଥିଲା। ଏବେ ୨ ମାସ ହେଲା ୨ଟି ସ୍ଥାନରେ ବସୁଛି। ବର୍ଷା କାଦୁଅ ଭିତରେ ଆସି ସ୍କୁଲ ପଡିଆରୁ ପନିପରିବା କିଣିବାକୁ ଆଗ୍ରହ ହେଉନାହିଁ।