ପାଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ୨ ଗୁରୁତର

ଅନୁଗୋଳ ଅଫିସ୍, ୨୧ା୪- ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ତାଳଚେର ଥାନାର ଜଣେ ମହିଳା ଏସଆଇ ଅର୍ଚ୍ଚନା ନାୟକ ଏବଂ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଟ୍ରୋଲିଂବେଳେ କେତେଜଣ ଲୋକ ତାଳଗଡା ଅଞ୍ଚଳରେ ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ପୋଲିସ ପଚରାଉଚରା କରୁଥିଲା। ସେହି ସମୟରେ ପାଟ୍ରୋଲିଂ ଗାଡ଼ିକୁ (ନଂ. ଓଡି-୦୫-ଏପି-୨୭୦୫) ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା।  ଅନୁଗୋଳ ଏସପି ଜଗମୋହନ ମୀନା, ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକର କୌଣସି ପତ୍ତା ପୋଲିସ ପାଇନାହିଁ।