ପାଟଣାରେ କେରଳ ଫେରନ୍ତାକୁ ନେଇ ଭୟ: ଫେରିଲେ ୧୪ ପ୍ରବାସୀ

ପାଟଣା,୮।୫(ସ୍ବ.ପ୍ର.): କେରଳରେ ରହୁଥିବା ୧୪ ପ୍ରବାସୀ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ନିଜ ଗ୍ରାମକୁ ଫେରିଛନ୍ତି। ଏହି ସମସ୍ତ ପୁରୁଷ ଶ୍ରମିକ କେରଳର ଆଟା ପାଟୁଠାରେ ଏକ ନର୍ସରୀରେ ଶ୍ରମିକ ଭାବେ କାମ କରୁଥିଲେ। ଏକ ସ୍ବତନ୍ତ୍ର ଟ୍ରେନରେ ଏମାନେ ଗୁରୁବାର ଭୁବନେଶ୍ୱର ପହଞ୍ଚିବା ପରେ ବସ୍‌ ଯୋଗେ ପାଟଣାରେ ପହଞ୍ଚିଛନ୍ତି। ପାଟଣା ମୁଖ୍ୟାଳୟସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖୋଲା ଯାଇଥିବା ଫିବର କ୍ଲିନିକରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଜ ନିଜ ପଞ୍ଚାୟତରେ କରାଯାଇଥିବା କ୍ୱାରାଣ୍ଟଆଇନ କକ୍ଷକୁ ଏମାନଙ୍କୁ ପଠାଯାଇଥିବା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟ ଡ. ସୁପ୍ରକାଶ ଶତପଥୀ କହିଛନ୍ତି। ବ୍ଲକର କେନ୍ଦେଇପଶି ପଞ୍ଚାୟତକୁ ୮ ଖିରେଇଟାଙ୍ଗିରି ପଞ୍ଚାୟତକୁ ୪ , ମୁଷାଖୋରୀ ପଞ୍ଚାୟତକୁ ଜଣେ ଓ ସାହାରପଡା ବ୍ଲକକୁ ଜଣେ ପ୍ରବାସୀ ଫେରିଛନ୍ତି।
ତେବେ ୩ଦିନ ତଳେ ସୁରଟ ଫେରନ୍ତା ୩ ଶ୍ରମିକଙ୍କୁ ମୁଖ୍ୟାଳୟସ୍ଥିତ ପାଟଣା ମହାବିଦ୍ୟାଳୟରେ କରାଯାଇଥିବା ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ସମସ୍ତଙ୍କର ସ୍ବାବ ଟେଷ୍ଟ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଥଣ୍ଡା, କାଶ ହେଉଥିବାରୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି।