Categories: ରାଜ୍ୟ

ପାଚେରି ଭୁଶୁଡ଼ି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:ଆପରାଧିକ ମାମଲା ରୁଜୁକଲା ପୋଲିସ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ସହରର ଅଳସୁଆ ହାଟରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫ଜଣ ଆହତ ହୋଇଥିଲେ। ମୃତଦେହଗୁଡିକ ବ୍ୟବଚ୍ଛେଦ ପରେ ପ୍ରଥମେ ଟାଉନ ଥାନାରେ ଏ ସଂକ୍ରାନ୍ତରେ ନଂ.୧୯/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ହେଲେ ସୋମବାର ଅପମୃତ୍ୟୁ ମାମଲାକୁ ଆପରାଧିକ ମାମଲାରେ ପରିବର୍ତ୍ତନ କରାଯାଇଥିବା ଏସ୍‌ପି ଅନୁପମା ଜେମ୍‌ସ ସୂଚନା ଦେଇଛନ୍ତି ା ଟାଉନ ଥାନାରେ ଏଏସ୍‌ଆଇ ରସାନନ୍ଦ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ନଂ-୧୬୮/୧୯, ଦଫା-୨୮୮, ୩୩୭, ୩୩୮, ୩୦୪(ଏ)ରେ ଏହି ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପରିତ୍ୟକ୍ତ ରାଇସ୍‌ ମିଲ୍‌ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ସୋମବାର ସୁଦ୍ଧା ଆରମ୍ଭ ହୋଇ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ବର୍ତ୍ତମାନ ସୁଦ୍ଧା ଆମ ପାଖକୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ନିର୍ଦ୍ଦେଶ ଆସିଲେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ ୪ ମୃତ ବ୍ୟବସାୟୀଙ୍କ ପରିବାରର ଯେ କୌଣସି ସଦସ୍ୟ ବ୍ୟବସାୟ କରିବାକୁ ଚାହିଁଲେ ସେମାନଙ୍କୁ ପୌରସଂସ୍ଥା ପକ୍ଷରୁ ହାଟରେ ନିର୍ମାଣାଧୀନ ଭେଣ୍ଡିଂ ଜୋନରୁ ୪ଟି ଘର ମାଗଣାରେ ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି। ସେହିପରି ମୃତାହତ ଲୋକଙ୍କ ପରିବାରକୁ ପୌରସଂସ୍ଥା ପକ୍ଷରୁ ସହାୟତା ପ୍ରଦାନ ପାଇଁ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ା ହାଟ ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରଗୁଡିକୁ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଛି ା