Categories: ଜାତୀୟ

ପାଗ ଭିଡ଼ୁଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୨୪ା୭: କର୍ନାଟକ ବିଧାନସଭାରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜୟବରଣ କରିବା ପରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ଲାଗି ଆଗେଇ ଆସିଛି। ୪ ଦିନ ଧରି ଆସ୍ଥାଭୋଟ ଲାଗି ଚାଲିଥିବା ନାଟକକୁ ନିରୀକ୍ଷଣ କରି ନୀରବରେ ଦେଖୁଥିବା ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ଚତୁର୍ଥଥର ଲାଗି କର୍ନାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସ୍ଥା ଭୋଟରେ ଭାଜପା ସପକ୍ଷରେ ୧୦୫ ଭୋଟ ପଡ଼ିଥିବାବେଳେ କୁମାରସ୍ବାମୀ ସରକାର ସପକ୍ଷରେ ୯୯ ଭୋଟ ପଡ଼ିଥିଲା। ୨୨୫ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୨୦ଜଣ ଆସ୍ଥାଭୋଟ ବେଳେ ଗୃହରେ ଅନୁପସ୍ଥିତ ରହିଥିଲେ।
ସରକାରର ପତନ ପରେ ଏହା ଗଣତନ୍ତ୍ରର ବିଜୟ ବୋଲି ୟେଦୁରପ୍ପା କହିଛନ୍ତି। ଲୋକମାନେ ରାଜ୍ୟ ସରକାରଙ୍କ ଉପରୁ ବିଶ୍ୱାସ ହରାଇଥିଲେ ବୋଲି ସେ କହିବା ସହ ଏବେ ବିକାଶର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି। ଭାଜପା ସରକାର କର୍ନାଟକ କୃଷକଙ୍କ ବିକାଶ ଉପରେ ଗୁରୁତ୍ୱ ଦେବ ବୋଲି ସେ ଏହି ଅବସରରେ କହିଛନ୍ତି। ଅସାଧୁ ମେଣ୍ଟ ଓ ଦୁର୍ନୀତିର ଯୁଗ ଶେଷ ହୋଇଛି। ଆମେ ସ୍ଥିର ଓ ସୁଦୃଢ଼ ସରକାର ଦେବୁ ଓ ରାଜ୍ୟର ବିକାଶକୁ ଆଗେଇ ନେବୁ ବୋଲି ଭାଜପା ପକ୍ଷରୁ କୁହାଯାଇଛି।
ମେ’ରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବାର ଅଢ଼େଇ ଦିନ ପରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରି ନ ଥିଲେ। କଂଗ୍ରେସ-ଜେଡିଏସ୍‌ ସଦସ୍ୟମାନେ ତାଙ୍କୁ ଅଡ଼ୁଆରେ ପକାଇଥିଲେ। ଏବେ ସ୍ଥିତି ଓଲଟିଛି। କଂଗ୍ରେସ-ଜେଡିଏସ୍‌ ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟିହୋଇଛି। କୁମାରସ୍ବାମୀ ନିଜକୁ ଅସହାୟ ମଣି ଶେଷରେ ଆସ୍ଥାଭୋଟରେ ହାରିଛନ୍ତି। ୧୬ ବିଧାୟକଙ୍କ ଇସ୍ତଫା ଓ ୨ ସ୍ବାଧୀନ ବିଧାୟକଙ୍କ କରଛଡ଼ା ପରେ ମେଣ୍ଟ ସରକାର ଭାଙ୍ଗିଛି। ଭାଜପା କର୍ନାଟକରେ ସରକାର ଗଠନ କରିବା ଲାଗି ଦାବି କରିଥିବାବେଳେ ପୁଣି ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇପଡ଼ିଛି।

Share