ପାଗଳା କୁକୁର କାମୁଡ଼ାରେ ୬ ଗୁରୁତର

ପାଟଣା,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ଏକ ବୁଲା ପାଗଳା କୁକୁର କାମୁଡ଼ାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ସେମାନଙ୍କୁ ପଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିମାନେ ବଡ଼ ପାଟଣା ପଞ୍ଚାୟତ ଅଧୀନ କାମେଶ୍ୱରପୁର ଗ୍ରାମର କାଦମ୍ବିନୀ ଭଞ୍ଜ, ନୂଆପଡା ଗ୍ରାମର ମଦନ ମହାନ୍ତ, ମଧୁ ମୁଣ୍ଡା, ପଟଣାର ଆକାଶ ମୁଣ୍ଡା, ନାରଣ ନାଏକ ଓ ଅକ୍ଷୟ ମୁଣ୍ଡା ବୋଲି ଜଣାପଡ଼ିବ। ତେବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।