Categories: ଖେଳ

ପାକିସ୍ତାନ ଗସ୍ତ କରିବାକୁ ଚାହୁଁ ନାହାନ୍ତି ସିନିୟର ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୦।୮: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ପାକିସ୍ତାନ ଗସ୍ତରେ ଆସି ଶ୍ରୀଲଙ୍କା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ରେ ଶ୍ରୀଲଙ୍କାର ସିନିୟର କ୍ରିକେଟର ଅଂଶଗ୍ରହଣ କରିବାକୁ ଚାହୁଁ ନାହାନ୍ତି। ଏ ନେଇ ପାକିସ୍ତାନର ଉର୍ଦ୍ଦୁ ନ୍ୟୁଜ ଚାନେଲ ‘ଏକ୍ସପ୍ରେସ ନ୍ୟୁଜ’ର ଓ୍ବେବସାଇଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ଶ୍ରୀଲଙ୍କାର ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକଓ୍ବେଲା ଓ ଅଲରାଉଣ୍ଡର ଥିସାରା ପେରେରା ଏହି ସିରିଜ୍‌ରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି। ଏମାନଙ୍କ ବ୍ୟତୀତ ଆହୁରି ଖେଳାଳି ସିରିଜ୍‌ରୁ ଓହରିବାକୁ ଚାହୁଁଛନ୍ତି। ହେଲେ ସେମାନଙ୍କ ନାମ ସ୍ପଷ୍ଟ ହୋଇ ନାହିଁ। ଉଭୟ ଡିକଓ୍ବେଲା ଓ ପେରେରା କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ଆସନ୍ତା ୪ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି। ଏଥିନେଇ ଦୁହେଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲସି) ଠାରୁ ଅନୁମତି ମାଗିଛନ୍ତି। ଉଲ୍ଲେଖଥାଉ କି, ୨୦୦୯ରେ ଗଦ୍ଦାଫି ଷ୍ଟାଡିୟମ୍‌ ଯାଉଥିବାବେଳେ ଶ୍ରୀଲଙ୍କା ଦଳର ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

Share