ପାଇଖାନାରେ ବିତୁଛି ଜୀବନ

ନୟାଗଡ଼ ଅଫିସ,୧୩ା୬: ଘର ନ ଥିବାରୁ ପାଇଖାନାରେ ବିତୁଛି ଜୀବନ। ଦିନେ କି ମାସେ ନୁହେଁ, ଅଢ଼େଇ ବର୍ଷ ଧରି ଜଣେ ମହିଳା ୱାର୍ଡମେମ୍ବରଙ୍କ ପରିବାର ଏଠାରେ ରହିଆସୁଛନ୍ତି। ନୟାଗଡ଼ ଜିଲା ରଣପୁର ବ୍ଲକ ସୁର୍କାବାଡି ପଞ୍ଚାୟତର ଠଣାପଲ୍ଲୀ ପାଟଣାରେ ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ଦୃଶ୍ୟ। ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧି ହୋଇ ବି ଆବାସ ଯୋଜନା ଅପହଞ୍ଚ ହୋଇରହିଛି।
ଠଣାପଲ୍ଲୀପାଟଣା ଗଁାର ରମେଶ ସେନାପତି ଜଣେ ଦିନ ମଜୁରିଆ। ଫାଇଲିନ୍‌ରେ ଘରଟି ଆଂଶିକ ନଷ୍ଟ ହୋଇଯାଇଥିଲା। ଏଠାରେ ସ୍ତ୍ରୀ, ମା’, ପୁଅ, ଝିଅକୁ ନେଇ ୫ ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଚଳି ଯାଉଥିଲେ। ହେଲେ ଅଢ଼େଇବର୍ଷ ତଳେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଶେଷରେ ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନାରେ ଟିଣ ପକାଇ ରହିବାକୁ ବାଧ୍ୟ ହେଲେ। ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ରମେଶ ବ୍ଲକ, ପଞ୍ଚାୟତ, ଉପଜିଲାପାଳ, ପିଡି ଡିଆରଡିଏ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ ଦୁଃଖ ଘୁଞ୍ଚି ନ ଥିଲା। ପରେ ପରେ ସ୍ତ୍ରୀ ବନୀତା ୨ନଂ. ୱାର୍ଡର ୱାର୍ଡମେମ୍ବର ହୋଇଥିଲେ। ଏହା ସତ୍ତ୍ୱେ ସେ ଘର ସମସ୍ୟା ସମାଧାନ କରିପାରି ନ ଥିଲେ। ପାଇଖାନା ପ୍ୟାନ ଉପରେ ଚାଲିଛି ରୋଷେଇ। ଘରର ଆସବାବପତ୍ର ରଖାଯାଉଛି। କଷ୍ଟେମଷ୍ଟେ ୩ ଜଣ ଶୋଇ ପାରୁଛନ୍ତି। ଅନ୍ୟ ୨ଜଣଙ୍କୁ ବାହାରେ ଶୋଇବାକୁ ପଡୁଛି। ଏ ନେଇ ୱାର୍ଡସଭ୍ୟା ବନିତା କହନ୍ତି, ଆମେ ଗରିବ ଲୋକ। ୱାର୍ଡମେମ୍ବର ହୋଇଗଲେ କ’ଣ ଦୁଃଖ ପଳାଇଯିବ। ଆମେ ପ୍ରଶାସନକୁ ସମସ୍ୟା ଜଣାଇଛୁ। ଯଦି ପଦକ୍ଷେପ ନ ନେବେ ଆମେ କ’ଣ କରିପାରିବୁ। ସରପଞ୍ଚ ମିନତି ସାହୁ କୁହନ୍ତି, ବନିତାଙ୍କ ପରିବାର ଗରିବ ଶ୍ରେଣୀର। ସେ ପୁଣି ଆମର ଜଣେ ୱାର୍ଡମେମ୍ବର। ଘର ଭାଙ୍ଗିବା ଓ ପାଇଖାନାରେ ରହିବା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଅବଗତ କରାଇଛି। ଏପରି କି ତାଲିକାରେ ନଁା ସାମିଲ କରି ସ୍ବତନ୍ତ୍ର ଭାବେ ଆବାସ ଯୋଜନାରେ ଘର ଯୋଗାଇବାକୁ ଅନୁରୋଧ କରିଛି। ହେଲେ ବ୍ଲକ ତରଫରୁ ଏଯାବତ ମଞ୍ଜୁରୀ ମିଳି ନାହିଁ। ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ସ୍ବତନ୍ତ୍ର ଭାବେ ଏବେ ଆବାସ ଯୋଜନାରେ ଘର ମିଳୁନି। ଏ ନେଇ ଆମେ ଅବଗତ ନ ଥିଲୁ। ତଥାପି ଏଥିପ୍ରତି ଦୃଷ୍ଟି ଦେବୁ। ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କୁହନ୍ତି, ଆମେ ୱାର୍ଡ ସଭ୍ୟାଙ୍କ ସମସ୍ୟା ସମ୍ପର୍କରେ ଅବଗତ ନ ଥିଲୁ। ଏହାର ଯାଞ୍ଚ କରି ପଦକ୍ଷେପ ନେବୁ।