ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ

ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର ଭକ୍ତ ଏହାକୁ ଦେଖୁଥିଲେ। ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେବକଙ୍କ ମଧ୍ୟରେ ହଠାତ୍‌ ଗଣ୍ଡଗୋଳ ହୋଇଥିଲା। ଏହାର କାରଣ ଜଣାପଡି ନ ଥିବାବେଳେ ସେବାୟତଙ୍କ ଏଭଳି ଆଚରଣକୁ ଭକ୍ତମାନେ ନାପସନ୍ଦ କରିଥିଲେ।
ଶ୍ରୀସୁଦର୍ଶନ, ବଡଠାକୁର ବଳଭଦ୍ର
ଏବଂ ଦେବୀ ସୁଭଦାଙ୍କ ପହଣ୍ଡି ସରିଥିଲା। ସମସ୍ତେ ମହାପ୍ରଭୁଙ୍କ ପହଣ୍ଡି ଏବଂ ଲକ୍ଷ୍ମୀନାରାୟଣ ଭେଟ ଦେଖିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।
ସନ୍ଧ୍ୟା ପ୍ରାୟ ସାଢେ ୭ଟା ସୁଦ୍ଧା ଲକ୍ଷ୍ମୀନାରାୟଣ ଭେଟ ସରିଥିଲା। ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡିରେ ଶ୍ରୀମନ୍ଦିର ଅଭିମୁଖେ ନେଇ ଯାଉଥିଲେ। ଠାକୁର ଅରୁଣ ସ୍ତମ୍ଭ ନିକଟରେ ହୋଇଥିବାବେଳେ ହଠାତ୍‌ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
କିଛି ସମୟ ପରସ୍ପର ମଧ୍ୟରେ କଥା କଟାକଟି ହୋଇଥିଲେ। ପୋଲିସ
ଅଧିକାରୀ ଉମାଶଙ୍କର ସିଂହଙ୍କ ସମେତ କେତେଜଣ ଜେଟିପି ଏବଂ ବରିଷ୍ଠ ସେବକମାନେ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆଗକୁ ବଢିଥିଲା।