ପହଣ୍ଡିରେ ସାମିଲ ଦଇତା ସେବକଙ୍କର କରୋନା ଟେଷ୍ଟ ହେଉ: ନିଯୋଗ ସଭାପତି

ପୁରୀ ଅଫିସ, ୨୫।୫: ଆସନ୍ତା ଜୁନ୍‌ ୫ରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ସର୍ବନିମ୍ନ ସେବକଙ୍କ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ ନିଯୋଗଙ୍କୁ ଚିଠି କରାଯାଇଥିଲା। ତେଣୁ ଦଇତାପତି ନିଯୋଗ ପକ୍ଷରୁ ଏ ନେଇ ଏକ ବୈଠକ ବସି ସ୍ନାନ ଯାତ୍ରାରେ ୧୫୦ଜଣ ଦଇତାପତି ସେବକ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ନିଯୋଗ ସଭାପତି ରବୀନ୍ଦ୍ର ଦାସମାହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ପହଣ୍ଡିରେ ୬୦ଜଣ, ବଳଭଦ୍ରଙ୍କ ପହଣ୍ଡିରେ ୫୦, ଦେବୀ ସୁଭଦ୍ରାଙ୍କ ପହଣ୍ଡିରେ ୩୦ ଏବଂ ସୁଦର୍ଶନଙ୍କ ପହଣ୍ଡିରେ ୧୦, ଏହିପରି ମୋଟ ୧୫୦ଜଣ ଦଇତାପତି ସାମିଲ ହେବେ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନକୁ ୧୫୦ ଦଇତାପତିଙ୍କର ତାଲିକା ପଠାଯାଇଥିବା ସେ ସୂଚନା ଦେଇଛନ୍ତି। ପହଣ୍ଡିରେ ସାମିଲ ସେବକଙ୍କର କରୋନା ଟେଷ୍ଟ କରାଯାଉ। କିନ୍ତୁ ଅନ୍ୟ ସହ ଦଇତାପତିଙ୍କ କରୋନା ଟେଷ୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ଦାସମହାପାତ୍ର କହିଛନ୍ତି।