ପଶ୍ଚିମ ଓଡ଼ିଶା ବନ୍ଦ ଘଟଣା: ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ ନିର୍ଦ୍ଦେଶ

କଟକ ଅଫିସ,୨୩।୭: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେବ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇ ଆସୁଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଥିଲାବେଳେ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୋମବାର ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ରାଜ୍ୟ ଆଇନଜୀବୀ ପରିଷଦକୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଆଇନଜୀବୀ ପରିଷଦ ଏହି ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ କି ପଦକ୍ଷେପ ଗ୍ରହଣ କରିଛି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ଆସନ୍ତା ଅଗଷ୍ଟ ୧୯ରେ ମାମଲାର ଶୁଣାଣି ହେବ। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଏବଂ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।