Categories: ଗଞ୍ଜାମ

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣା :ଏମ୍‌କେସିଜିରେ ଜେଡିଏର କାମ ବନ୍ଦ, ରୋଗୀ ହଇରାଣ

ବ୍ରହ୍ମପୁର ଅଫିସ,୧୮ା୬-ପଶ୍ଚିମବଙ୍ଗର ଜୁନିୟର ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାର ଆନ୍ଦୋଳନ ଏବେ ବ୍ୟାପିବାରେ ଲାଗିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ମଧ୍ୟ ଜୁନିୟର ଡ଼ାକ୍ତର ଏସୋସିଏଶନ୍‌ (ଜେଡିଏ) ତରଫରୁ ପଶ୍ଚିମବଙ୍ଗ ଡ଼ାକ୍ତର ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଡ଼ାକ୍ତରଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କରି ସୋମବାର ଜେଡିଏ ତରଫରୁ ଆଉଟ ଡୋରରେ ଚିକିତ୍ସା ବନ୍ଦ ରଖାଯାଇଥିଲା ।
ଫଳରେ ରୋଗୀସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ଏମ୍‌କେସିଜି ମେଡିକାଲରେ ଆଉଟ ଡୋରର ପ୍ରତ୍ୟେକ ବିଭାଗର ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ୱାରା ରୋଗୀ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗରେ ଚାଲିଥିବା ଡ଼ାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିୟର ଡ଼ାକ୍ତରଙ୍କ ତରଫରୁ ଗତ ୨ ଦିନ ତଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା। ସୋମବାର ଜେଡିଏ ତରଫରୁ ପୁଣିଥରେ କଳା ବ୍ୟାଜ୍‌ ପରିଧାନ କରି ମେଡିକାଲ କଲେଜ ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଡ଼ାକ୍ତରଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏଣୁ ଡ଼ାକ୍ତରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଏଥିରେ ଦାବି କରାଯାଇଥିଲା । ଏହା ସହିତ ଆଉଟଡୋରରେ ରୋଗୀସେବାକୁ ମଧ୍ୟ ବନ୍ଦ କରାଯାଇଥିଲା । ଆଉଟଡୋର ବ୍ୟତୀତ କାଜୁଆଲଟି, ଓଟି, ଲେବରରୁମ ସହିତ ଅନ୍ୟ ଜରୁରୀକାଳୀନ ବିଭାଗରେ ରୋଗୀସେବା ବନ୍ଦ କରାଯାଇନାହିଁ। କେବଳ ଆଉଟ ଡୋରକୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୋମବାର ଚିକିତ୍ସା ସେବା ବନ୍ଦ କରାଯାଇଛି ବୋଲି ଜେଡିଏ ସଭାପତି ତୁଷାରକାନ୍ତ ରଥ ସୂଚନା ଦେଇଛନ୍ତି । ସୋମବାର ଅନୁଷ୍ଠିତ ଏହି ବିକ୍ଷୋଭରେ ପ୍ରାୟ ୩ ଶହ ଡାକ୍ତର ସାମିଲ ହୋଇଥିଲେ । ଫଳରେ ରୋଗୀସେବା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା ।