‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୨୫ା୧୨:ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଏବଂ ବାଣିଜ୍ୟ ମେଳା ‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏଭଳି ମିଳିତ ବାଣିଜ୍ୟ ମହାକୁମ୍ଭ ଆୟୋଜନ ଦ୍ୱାରା ଶିଳ୍ପ, କୁଟୀରଶିଳ୍ପ, ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ସମୃଦ୍ଧ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ହିମାଂଶୁ ଦାସ ସ୍ବାଗତ ଭାଷଣ ଦେଇଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗର ଅତିରିକ୍ତ ନିର୍ଦ୍ଦେଶକ ଡ. ଏସ୍‌.କେ. ସାହୁ ଅତିଥି ପରିଚୟ ପ୍ରଦାନ କରି ମେଳାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସଦର ବିଧାୟକ ମଦନ ମୋହନ ଦତ୍ତ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଉକ୍ତ ବାଣିଜ୍ୟ ମେଳା ରାଜ୍ୟର ପ୍ରମୁଖ ମେଳା ମଧ୍ୟରେ ଅନ୍ୟତମ ବୋଲି ମତ ରଖିବା ସହ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଲୋକମାନଙ୍କ ଆଗ୍ରହ ସୃଷ୍ଟିରେ ସହାୟକ ହେବ ବୋଲି କହିଥିଲେ। ଜିଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ବିବେକରାଜ ବାଜପେୟୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗ, ଜିଲା ପ୍ରଶାସନ, ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ (ଓରମାସ), ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲା କ୍ଷୁଦ୍ର ଶିଳ୍ପ ସଂଘ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୨୯ ତାରିଖରେ ଉଦ୍‌ଯାପିତ ହେବ। ମେଳାରେ କୁଟୀରଶିଳ୍ପଠାରୁ ଆରମ୍ଭ କରି ବଡ଼ଶିଳ୍ପଗୁଡ଼ିକ ସେମାନଙ୍କର ଷ୍ଟଲ୍‌ ଲଗାଇଛନ୍ତି। ଗୋଟିଏ ସ୍ଥାନରେ ପ୍ରାୟ ସବୁପ୍ରକାର ଦ୍ରବ୍ୟ ମିଳୁଥିବାରୁ ଭିଡ ପରିଲକ୍ଷିତ ହେଉଛି। ଓରମାସର ୧୪୦ଷ୍ଟଲ୍‌ ସ୍ଥାନ ପାଇଛି। ଦେଶର ବିଭିନ୍ନ ବିଭାଗରୁ ୪୦୩ଟି ଅନ୍ୟାନ୍ୟ ବିଭାଗର ଷ୍ଟଲ୍‌ ରହିଛି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଲିଉଡ୍‌ ଓ ଓଲିଉଡ୍‌ର ତାରକାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟକ୍ରମ ରହିଛି।