ପଲିଥିନ ଯାଞ୍ଚ ସମୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୬।୮

ପୌରପାଳିକା ପକ୍ଷରୁ ସୋମବାର ଅପରାହ୍ନରେ ସହରର ବ୍ଲକ ଛକରେ ଥିବା ବିଭିନ୍ନ ଫଳ ଦୋକାନରେ ପଲିଥିନ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପଲିଥିନ ରଖିଥିବା ଅଭିଯୋଗରେ ଜଣେ ଛତୁ ବ୍ୟବସାୟୀଙ୍କ ଉପରେ ୫ ଶହ ଟଙ୍କା ଜରିମାନା କରାଯାଇଥିଲା। କିନ୍ତୁ ଏହି ସମୟରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୌରକର୍ମଚାରୀ ଛତୁ ଦୋକାନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ପୌରକର୍ମଚାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟକୁ ଯାଇ ଛତୁ ବ୍ୟବସାୟୀ ସୁଜିତ ପଟ୍ଟନାୟକ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୌର କର୍ମଚାରୀଙ୍କ ଅଭିଯୋଗ କ୍ରମେ ଅନୁଗୋଳ ପୋଲିସ ନଂ. ୫୯୧/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ ଯେ, ପୌରପାଳିକା ପକ୍ଷରୁ ବିଭିନ୍ନ ଉଠା ଦୋକାନ ଓ ଠେଲା ଦୋକାନରେ ପଲିଥିନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୩ କିଲୋ ୮ ଶହ ଗ୍ରାମ ପଲିଥିନ ଜବତ ସହ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପରେ ଛତୁ ବ୍ୟବସାୟ କରୁଥିବା ସୁଜିତ ପଟ୍ଟନାୟକଙ୍କ ଦୋକାନରେ ପଲିଥିନ ଥିବା ଦେଖି କର୍ମଚାରୀମାନେ ୫ ଶହ ଟଙ୍କା ଜରିମାନା ରସିଦ୍‌ କାଟିଥିଲେ। କିନ୍ତୁ କୌଣସି କାରଣରୁ ସୁଜିତଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପରେ ସୁଜିତଙ୍କୁ ମାଡ଼ ମରାଯାଇଥିବା ଓ ଅଧିକ ଅର୍ଥ ନ ଦେବାରୁ ଏପରି ଘଟଣା ଘଟାଯାଇଥିବା ସୁଜିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୌରକର୍ମଚାରୀ ଥାନାରେ ଅଭିଯୋଗ କରିଥିବାରୁ ତଦନ୍ତ ପରେ ଯାଇ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଲୋଚନା ହେଉଛି।