ପଲିଥିନମୁକ୍ତ ସହର ଗଠନ ଲକ୍ଷ୍ୟରେ ଏସ୍‌ଏଚ୍‌ଜି ମହିଳା

ଜୟପୁର,୮।୩ (ନି.ପ୍ର):ନିଜେ ସ୍ବାବଲମ୍ବୀ ହୋଇ ଜୟପୁରକୁ ପଲିଥିନ ମୁକ୍ତ ସହର ଗଠନ କରିବା ପାଇଁ ୧୦ ମହିଳା ଅଣ୍ଟା ଭିଡିଛନ୍ତି ା ୨୦୧୭ରେ ଜୟପୁର ସହରର ପାରାବେଢା ଅଞ୍ଚଳର ଉକ୍ତ ୧୦ ମହିଳା ମିଶିି ମା’ ସମଲେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ ା ୨୦୧୮ରେ ଜୟପୁର ପୌରପରିଷଦର ସହଯୋଗରେ ପେପରରେ ଠୁଙ୍ଗା ତିଆରି କରିବା ତାଲିମ ନେଇଥିଲେ ା ସେହି ଦିନଠାରୁ କିରଣ ବାହାଦୁର, ମିନତି ନାୟକ, ରିବିକା ହିୟାଲ. ପାର୍ବତୀ ମହାରଣା, କୁନି ମହାରଣା, ସାଇବାଣି ମହାରଣା, ପଦ୍ମା ବାହାଦୁର, ପି ନାଗାମଣି ବିମଳା ବୈରାଗୀ, କେ. ସବିତା ପାତ୍ର ନିଜ ଘର ସଂସାର କାମ ସାରି ଅପରାହ୍ନ ୨ ଟାରେ ଏସଏସଜି ଗ୍ରୁଫ ସଭାପତି କିରଣ ବାହାଦୁରଙ୍କ ଘରେ ଏକାଠି ହୁଅନ୍ତି ା ପେପର କେଜି ୧୭ ଟଙ୍କାରେ କିଣି ଠୁଙ୍ଗା ତିଆରି କରନ୍ତି ା ଅଧା କିଲୋ, ୧ କେଜି, ୨ କେଜି ଓଜନର ସାମଗ୍ରୀ ଧରିବା ଭଳି ଠୁଙ୍ଗା ପ୍ରସ୍ତୁତ କରନ୍ତି ଏହି ମହିଳାମାନେ ା ଦୈନିକ ୧୦ରୁ ୧୨ କେଜି ଠୁଙ୍ଗା ତିଆରି କରିଥାନ୍ତି ା ପରେ ଏହାକୁ ବିକ୍ରି କରିବା ଲାଗି ବାହାରି ପଡ଼ନ୍ତି ା ଠୁଙ୍ଗା କିଲୋ ପିଛା ୪୦ ଟଙ୍କା ଦରରେ ବିକ୍ରି କରନ୍ତି ା ଏଥିସହ ଦୋକାନ ଦୋକାନକୁ ଯାଇ ପଲିଥିନ ବର୍ଜନ କରିବାକୁ ସଚେତନ କରନ୍ତି ା ଏହି ପଲିଥିନ ଖାଇ ଗାଇଗୋରୁ ମୃତ୍ୟୁବରଣ କରୁଛନ୍ତି ା ଏହାକୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ତେଣୁ ପଲିଥିନ ମୁକ୍ତ ସହର ଗଠନ କରିବାକୁ ଲୋକଙ୍କୁ ସଚେତନ କରିଥାନ୍ତି ା ଏଥିସହ ଘରୁ ବ୍ୟାଗ ନେଇ ଜିନିଷପତ୍ର ଆଣିବାକୁ ପରାମର୍ଶ ଦେଇଥାନ୍ତି ଏହି ମହିଳାମାନେ ା ସେମାନଙ୍କ କହିବା କଥା ହେଲା, ଘରେ ବସି ବସି ସମୟ ନଷ୍ଟ କରିବା ଅପେକ୍ଷା ନିଜକୁ ଆତ୍ମନିର୍ଭରଶୀଳ କରିବା ଉଚିତ୍‌ ା ପୌରପରିଷଦ ସହଯୋଗରେ ସ୍ଥାନୀୟ ଏକ ବ୍ୟାଙ୍କରୁ ୭୦ ହଜାର ଟଙ୍କା ଋଣ ଆଣିଛୁ ା ସ୍ବାମୀଙ୍କ ଉପରେ ନିର୍ଭର ନ କରି ଯାହା ରୋଜଗାର ହୁଏ ସେମାନେ ନିଜ ଖର୍ଚ୍ଚ ଉଠାଇଥାନ୍ତି ବୋଲି କହିଛନ୍ତି ା ସମାଜକୁ ସୁସ୍ଥ ସୁନ୍ଦର ରଖିବା ଆମର କର୍ତ୍ତବ୍ୟ ବୋଲି ପ୍ରକାଶ କରିଛନ୍ତି ା